ପିତା-ପୁତ୍ରଙ୍କ ଏହି ଯୋଡି ପାଇଁ ଆପଣ ଫେରି ପାଉଛନ୍ତି ଲୋନ୍ ମୋରାଟୋରିୟମ ସୁଧ ଟଙ୍କା

ଆଗ୍ରା:  ଲକଡାଉନ୍ କାଳରେ ସବୁକିଛି ବନ୍ଦ ହୋଇଯାଇଥିଲା । କରୋନାକୁ ମାତ୍ ଦେବା ପାଇଁ ଲକଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ଯେଉଁମାନେ ଲୋନ୍ ଆଣିଥିଲେ ସେମାନଙ୍କ ପାଇଁ ମାସିକ କିସ୍ତି ସୁଝିବା ଥିଲା ବଡ ମୁଣ୍ଡବିନ୍ଧା । ସରକାର ଏହା ଭିତରେ ୬ ମାସର ଲୋନ୍ ମୋରାଟୋରିୟମ ଘୋଷଣା କରିଥିଲେ । ୩୧ ଅଗଷ୍ଟ ପର୍ଯ୍ୟନ୍ତ ଲୋନ୍ ଉପରେ କିସ୍ତି ନସୁଝିବାର ବିକଳ୍ପ ଗ୍ରାହକଙ୍କ ପାଖରେ ଥିଲା । କିନ୍ତୁ  ଏହି ସୁବିଧା ବଦଳରେ ଲୋକଙ୍କୁ ଅଧିକ ସୁଧ ମଧ୍ୟ ଦେବାକୁ ପଡିଥିଲା । ତେବେ ଏହା ବିରୋଧରେ ଆଗ୍ରାର ଜଣେ ବ୍ୟକ୍ତି ନିଜ ପୁଅ ସହ ମିଶି ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାର ଫଳ ଏବେ ଲକ୍ଷ ଲକ୍ଷ ବ୍ୟକ୍ତି ଉଠାଉଛନ୍ତି । ଏବେ ଏହାର ଫାଇଦା ସେହି ସମସ୍ତଙ୍କୁ ମିଳିବ ଯେଉଁମାନେ ଲକଡାଉନ୍ କାଳରେ ମୋରାଟୋରିୟମର ବିକଳ୍ପ ବାଛିଥିଲେ ।

ଏହି ବ୍ୟକ୍ତିଙ୍କ ନାମ ହେଉଛି ଗଜେନ୍ଦ୍ର ଶର୍ମା । ଆଗ୍ରାର ସଂଜୟ ପ୍ଲେସ୍ ମାର୍କେଟରେ ଚଷମା ଶୋ’ରୁମ ଚଳାଉଥିବା ଗଜେନ୍ଦ୍ରଙ୍କ ପୁଅ ଅଲ୍ଲୀଗଡ ବିଶ୍ୱବିଦ୍ୟାଳୟରେ ଆଇନ ପଢୁଛନ୍ତି । ଲୋନ୍ ମୋରାଟୋରିୟମ ସହ ଯେଉଁ ସୁଧ ସର୍ତ୍ତ ରଖାଯାଇଥିଲା ତାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯିବାକୁ ଗଜେନ୍ଦ୍ର ମନସ୍ଥ କରିଥିଲେ । ଗଜେନ୍ଦ୍ରଙ୍କ ଯୁକ୍ତି ଥିଲା ଯେ, ଲକଡାଉନ୍ କାଳରେ ବ୍ୟବସାୟ ବନ୍ଦ ଥିଲା । ଏମିତିରେ ସୁଧ ଉପରେ ସୁଧ ଦେବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ସେମାନେ ଜାଣିଶୁଣି ବ୍ୟବସାୟ ବନ୍ଦ କରିନଥିଲେ । ଗଜେନ୍ଦ୍ରଙ୍କ ଆବେଦନକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ । ଶୁଣାଣି କାଳରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା ମଧ୍ୟ କରିଥିଲେ । କେବଳ ଲାଭ ଆଢୁଆଳରେ ରହି ସରକାର ନିଜ ଦାୟିତ୍ୱ ଭୁଲି ପାରିବେ ନାହିଁ ବୋଲି କୋର୍ଟ କହିଥିଲେ । ଶେଷରେ କେନ୍ଦ୍ର ସରକାର ଚକ୍ରବୃଦ୍ଧି ସୁଧ ନନେବାକୁ କିମ୍ବା ଯେଉଁମାନଙ୍କଠାରୁ ନିଆଯାଇଛି ସେମାନଙ୍କୁ ଫେରାଇବା ପାଇଁ ଆଶ୍ୱାସନା ଦେଇଛନ୍ତି ।

ଗଜେନ୍ଦ୍ରଙ୍କ ଅନୁସାରେ ସେମାନେ ଯେତେବେଳେ ପ୍ରଥମେ ସୁପ୍ରିମକୋର୍ଟ ଗଲେ ସେତେବେଳେ ଅନେକ ଏଥିପାଇଁ ତାଙ୍କୁ ଥଟା କରିଥିଲେ । ସୁପ୍ରିମକୋର୍ଟ ଗଲେ ମଧ୍ୟ କିଛି ଲାଭ ମିଳିବ ନାହିଁ ବୋଲି ତାଙ୍କୁ ଟାହିଟାପରା କରାଯାଇଥିଲା । ତେବେ ଗଜେନ୍ଦ୍ର ନିଜ ବିଶ୍ୱାସରେ ଅଟଳ ଥିଲେ । ଯାହାର ଫଳ ଏବେ ଲକ୍ଷ ଲକ୍ଷ ବ୍ୟକ୍ତି ପାଇବେ ଯେଉଁମାନେ ଲୋନ୍ ବାବଦରେ କିସ୍ତି ସୁଝୁଛନ୍ତି ।

ଗଜେନ୍ଦ୍ରଙ୍କ କହିବା ହେଉଛି ଘରୋଇ ବ୍ୟାଙ୍କ ବିଶେଷକରି ଏନବିଏଫସି ଗୁଡିକ ଲୋନ୍ ଦେବା ବେଳେ ସବୁ କଥା ସ୍ପଷ୍ଟ ଭାବେ କହିନଥାନ୍ତି । ସେମାନେ ପରେ ଅଧିକ ଟଙ୍କା ସୁଧ ଭାବେ ଆଦାୟ କରିଥାନ୍ତି ।ଏମିତିରେ ସୁଧ ଉପରେ ସୁଧ ଲୋକଙ୍କୁ ଅଧିକ କ୍ଷତି ପହଂଚାଇଥାନ୍ତା  ।

Leave a Reply