ଆଜି କୁମାର ପୂର୍ଣ୍ଣିମା, ଆସିବେ ମା’ ଗଜଲକ୍ଷ୍ମୀ

ଢେଙ୍କାନାଳ: ଆଜି କୁମାର ପୂର୍ଣ୍ଣମୀ ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଆଗମନ କରିବେ ମା’ ଗଜଲକ୍ଷ୍ମୀ । ଏନେଇ ଚଳଚଞ୍ଚଳ ଢେଙ୍କାନାଳ ସହର । ଚଳିତବର୍ଷ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ । ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଘଟ ପୂଜା । ଚଳିତବର୍ଷ ୫ଟି ମଣ୍ଡପରେ ହୋଇଛି ଚାନ୍ଦି ମେଢ । ଆସନ୍ତା ୧୯ ତାରିଖରେ ହେବ ଭସାଣି ଉତ୍ସବ ।

ଚଳିତବର୍ଷ ଲକ୍ଷ୍ମୀ ବଜାର ପୂଜା ପ୍ରତିଷ୍ଠାନ ୭୫ ବର୍ଷ ପୂର୍ତ୍ତି ଉତ୍ସବ ମହା ସମାରୋହରେ ପାଳନ କରୁଛି । ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ଉତ୍ସବର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କାଳିକା ନଗର ପୂଜା କମିଟି ନିଜର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଓ ମହିଷାପାଟ ପୂଜା କମିଟି ନିଜର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ ପାଳିବ । ପୂଜା ଅବସରରେ ପ୍ରଶାସନ ପକ୍ଷରୁ ମହିଷାପାଟ ପଡ଼ିଆ ଠାରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ଢେଙ୍କାନାଳ ସମେତ ୩୦ଟି ଜିଲ୍ଲାର ହସ୍ତଶିଳ୍ପ ଓ କାରୁକାର୍ଯ୍ୟ ପ୍ରଦର୍ଶିତ ହେବ ।

ଶାନ୍ତିଶଙ୍ଗଳା ରକ୍ଷା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତେକ ଦିନ ୧୦ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ପୋଲିସ ପକ୍ଷରୁ ଟ୍ରାଫିକ ଓ ପାର୍କିଂର ବନ୍ଦୋବସ୍ତ କରାଯିବା ସହିତ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର, ୭୫ ଜଣ ଏଏସଆଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।