spot_img

Latest Posts

ଉଗ୍ର ହିଂସାରେ ଜଳୁଛି ଫ୍ରାନ୍ସ, ୫ ଦିନ ଧରି ସାରାଦେଶରେ ପୋଡ଼ାଜଳା

ପ୍ୟାରିସ୍: ଉଗ୍ର ହିଂସାରେ ଜଳୁଛି ଫ୍ରାନ୍ସ । ପୋଲିସ ଗୁଳିରେ ନାବାଳଙ୍କ ମୃତ୍ୟୁ ପରେ ରକ୍ତାକ୍ତ ହୋଇଛି ରୋମାଣ୍ଟିକ ସହର । ୫ ଦିନ ଧରି ସାରାଦେଶରେ ନିଆଁ ଜଳୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ୫୦ ହଜାର ସୈନ୍ୟ ଓ ପୋଲିସ କର୍ମୀ ମୁତୟନ କରାଯାଇଛି । ଗତକାଲି ରାତିରେ ୪୨୭ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ଏବେସୁଦ୍ଧା ପ୍ରାୟ ୩ ହଜାର ଲୋକଙ୍କୁ ହେପାଜତକୁ ନେଇଛି ପୋଲିସ । ପ୍ୟାରିସ ମେୟରଙ୍କ ଘର ଆଗରେ ରଖାଯାଇଥିବା କାରରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଗତ ୫ ଦିନ ମଧ୍ୟରେ ୨ ହଜାରରୁ ଅଧିକ ଗାଡ଼ି ପୋଡ଼ି ଦିଆଯାଇଛି । ଦଙ୍ଗାକାରୀଙ୍କୁ ରୋକିବାକୁ ପୋଲିସ ଲୁହ ବୁହା ଗ୍ୟାସ ଓ ଓ୍ବାଟର କ୍ୟାନନ ମାଡ଼ କରିଛି । ପୋଲିସ ଗୁଳିରେ ମୃତ ନାବାଳଙ୍କର ଆଜି ଶେଷକୃତ୍ୟ କରାଯାଇଥିବା ବେଳେ ଶ୍ମଶାନରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି ।

ପୋଲିସ ଗୁଳିରେ ନାବାଳଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ହିଁ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ସଶସ୍ତ୍ର ଯାନ, ହେଲିକପ୍ଟର ଏବଂ ୪୫,୦୦୦ ପୋଲିସ କର୍ମଚାରୀଙ୍କୁ ପ୍ୟାରିସ, ଲ୍ୟେ ଏବଂ ମାର୍ସିଲରେ ନିୟୋଜିତ କରାଯାଇଛି । ଫ୍ରାନ୍ସରେ ଚାଲିଥିବା ହିଂସାତ୍ମକ ବିରୋଧ ବିଦେଶର ଚିନ୍ତା ବଢାଇ ଦେଇଛି। ଆଗାମୀ ଶୀତଋତୁରେ ଫ୍ରାନ୍ସ ରଗବୀ ବିଶ୍ୱକପ୍ ଏବଂ ୨୦୨୪ର ଗ୍ରୀଷ୍ମ ସମୟରେ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ ଆୟୋଜନ କରୁଛି। ଯଦି ବିରୋଧ ଦୀର୍ଘ ସମୟ ଧରି ଚାଲେ ତେବେ ଅନ୍ତରାଷ୍ଟ୍ରୀୟସ୍ତରରେ ଫ୍ରାନ୍ସ ସରକାରଙ୍କୁ ଅପଦସ୍ଥ ହେବାକୁ ପଡ଼ିପାରେ । ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ନାଗରିକ ତଥା ପର୍ଯ୍ୟଟକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Latest Posts

Don't Miss