ନନ୍ଦିଘୋଷ ବ୍ୟୁରୋ: ବିହାର ଦେଖିଲା ତାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । କିନ୍ତୁ ସମ୍ରାଟ ଆରମ୍ଭରୁ ବିଜେପିରେ ନଥିଲେ । ଏକଦା ସେ ବିଜେପିକୁ ବିରୋଧ କରୁଥିଲେ । ବିହାରରେ ଅନେକ ପୁରୁଣା ବିଜେପି ନେତା ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଜେପି କାହିଁକି ସମ୍ରାଟ ଚୌଧରୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ? ସମ୍ରାଟ ଚୌଧରୀ କୁଶ୍ୱାହା ଜାତିର ନେତା ଏବଂ ବିହାରର ଅନ୍ୟତମ ପ୍ରମୁଖ ଓବିସି ଵର୍ଗରୁ ସେ ପ୍ରତିନିଧିତ୍ୱ କରନ୍ତି । ଅତ୍ୟନ୍ତ ପଛୁଆ ବର୍ଗ ଓ ଓବିସି ବର୍ଗର ମୋଟ ଭୋଟ ବିହାରରେ ପ୍ରାୟ ୬୩.୧୪% । ଏହା ବିହାରର ସବୁଠାରୁ ବଡ଼ ଭୋଟ୍ ବ୍ୟାଙ୍କ୍ ।ଏଥିରୁ କୁଶ୍ୱାହା ଜାତିର ପାଖାପାଖି ୮% ଭୋଟ ରହିଛି । ତେଣୁ ଓବିସି ରାଜନୀତିକୁ ଦେଖି ସମ୍ରାଟ ଚୌଧରୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିବା ଚର୍ଚ୍ଚା ହେଉଛି । କୁର୍ମୀ ଏବଂ କୁଶ୍ୱାହା ମିଳିତ ଭାବେ ବିହାରର ଓବିସି ଭୋଟ୍ ବ୍ୟାଙ୍କ୍ରେ ବଡ଼ ଭୂମିକା ନେଇଥାନ୍ତି । ଏହି ସମୀକରଣ ବଜାୟ ରଖିବା ପାଇଁ ବିଜେପି ତାଙ୍କୁ ବାଛିଛି ବୋଲି ଚର୍ଚ୍ଚା ହେଉଛି । ଉପେନ୍ଦ୍ର କୁଶ୍ୱାହା ,ନୀତିଶ ଓ ସମ୍ରାଟ କୁର୍ମୀ ଏବଂ କୁଶ୍ୱାହା ସମ୍ପ୍ରଦାୟର ବଡ଼ ଚେହେରା। ତେଣୁ ଏହି ୩ ନେତା ବିହାର ଏନଡିଏ ମେଣ୍ଟରେ ବଡ଼ ଭୂମିକା ନେବେ ।
ଫାଇନାନ୍ସ, ହୋମ୍, ଆର୍ବାନ୍ ଡେଭଲପମେଣ୍ଟ ଏବଂ ପଞ୍ଚାୟତି ରାଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ପର୍କରେ ଅଭିଜ୍ଞତା ଥିବାରୁ ବିଜେପି ସମ୍ରାଟଙ୍କୁ ବିଶ୍ୱାସ କରିଛି । ଯାଦବ ସମ୍ପ୍ରଦାୟ ବ୍ୟତୀତ ଅନ୍ୟ ପଛୁଆ ଜାତି ମଧ୍ୟରେ ବିଜେପିର ପ୍ରଭାବ ବଢ଼ାଇବା ପାଇଁ ଏହି ନିଷ୍ପତ୍ତି। ସମ୍ରାଟଙ୍କ ପିତା ଶକୁନି ଚୌଧରୀ ୬ଥରର ବିଧାୟକ ଏବଂ ମା ପାର୍ବତୀ ଦେବୀ ମଧ୍ୟ ବିଧାୟିକା ଥିଲେ। ପରିବାରରୁ ସମ୍ରାଟ ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି । ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରି ଦଳକୁ ଗ୍ରାମୀଣ ସ୍ତରରେ ମଜବୁତ କରିଥିଲେ। ନିତୀଶ ମଧ୍ୟ ତାଙ୍କୁ ସମର୍ଥନ ଏବଂ ବିଶ୍ୱାସ କରନ୍ତି ବୋଲି ଚର୍ଚ୍ଚା । ୧୯୯୦ ଦଶକରୁ ରାଜନୀତିରେ ସକ୍ରିୟ,ଆରଜେଡି ଏବଂ ଜେଡିୟୁରେ କାର୍ଯ୍ୟକରିବା ପରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ନିତ୍ୟାନନ୍ଦ ରାୟ ପ୍ରଦେଶ ସଭାପତି ଥିବା ସମୟରେ ସମ୍ରାଟ ଉପସଭାପତି ହୋଇଥିଲେ। ବିଜେପିରେ ଯୋଗ ଦେବା ପରେ ପଞ୍ଚାୟତି ରାଜ ମନ୍ତ୍ରୀ ହୋଇଥିଲେ। ୨୦୨୦ରେ ବିଜେପି ଟିକେଟରେ ବିଧାନ ପରିଷଦକୁ ଯାଇଥିଲେ । ଅଗଷ୍ଟ ୨୦୨୨ରେ ନୀତୀଶ କୁମାର ବିଜେପି ଛାଡ଼ି ଆରଜେଡି ସହ ମହାଗଠବନ୍ଧନ ସରକାର ଗଠନ କରିବା ପରେ ସମ୍ରାଟ ବିଧାନ ପରିଷଦରେ ବିରୋଧୀ ଦଳର ନେତା ହୋଇଥିଲେ। ୨୦୨୩ରେ ବିଜେପିର ପ୍ରଦେଶ ସଭାପତି ହୋଇଥିଲେ। ନୀତୀଶ କୁମାର ପୁଣି ଏନଡିଏକୁ ଫେରିବା ପରେ ସମ୍ରାଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା।
୨୦୨୫ରେ ବିଧାନସଭା ନିର୍ବାଚନରେ ବିରୋଧୀ ଦଳଗୁଡ଼ିକର ସବୁଠୁ ଅଧିକ ଟାର୍ଗେଟ ସମ୍ରାଟ ଚୌଧୁରୀଙ୍କ ଉପରେ ଥିଲା । ତେଣୁ ସମ୍ରାଟ ଚୌଧୁରୀ ବିରୋଧୀ ମେଣ୍ଟ ଉପରେ ଭାରି ପଡିବେ । ତାଙ୍କ ଭାଷଣ ମଧ୍ୟ ଅନେକ ଲୋକଙ୍କୁ ପ୍ରଭାବିତ କରିବା ସହ ବିରୋଧୀଙ୍କୁ ଅଡୁଆରେ ପକାଏ ।ଏହି ସବୁ କାରଣ ପାଇଁ ମୂଳରୁ ବିଜେପି ସହ ନଥାଇ ମଧ୍ୟ ସମ୍ରାଟଙ୍କୁ ବିଜେପି ବିହାର ମୁଖ୍ୟମନ୍ତ୍ରୀ କରିଥିବା ଅନୁମାନ କରାଯାଉଛି ।

