ୟୁକ୍ରେନକୁ ଫ୍ରାନ୍ସ ଯୋଗାଇବ ହାଲୁକା ଲଢୁଆ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ

କିଭ୍: ୟୁକ୍ରେନ ହେବ ବାହୁବଳୀ । ୟୁକ୍ରେନକୁ ହାଲୁକା ଲଢୁଆ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ ଯୋଗାଇବା ଫ୍ରାନ୍ସ । ଏନେଇ ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ସାମରିକ ସହଯୋଗିତା ନେଇ ଉଭୟ ମାକ୍ରନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଘୋଷଣାନାମା ଜାରି ହୋଇଛି । ଏହି ଯୁଦ୍ଧାସ୍ତ୍ର ପାଇଲେ ଋଷ ବିରୋଧରେ ଜୋରଦାର ସଂଘର୍ଷ କରିପାରିବ ୟୁକ୍ରେନ । ଏହା ସହ ଆକାଶ ମାର୍ଗରେ ଋଷର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନକୁ ଫ୍ରାନ୍ସ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବ । ଋଷ ବାହିନୀକୁ ଦୁର୍ବଳ କରିବା ଲାଗି ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାକ୍ରନ । ଗତ ରବିବାର ଫ୍ରାନ୍ସ ଗସ୍ତରେ ଜେଲେନସ୍କି ଯାଇଥିବା ଅବସରରେ ସାମରିକ ସମ୍ପର୍କ ନେଇ ଦୁଇ ନେତା ଆଲୋଚନା କରିଥିଲେ ।

ସେପଟେ ଚଳିତ ବର୍ଷ ହିଁ ଋଷର ପରାଜୟ ଘଟିବ ବୋଲି ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି ଜେଲେନସ୍କି । ଏହା ସହ ସାମରିକ ସହାୟତା କରୁଥିବାରୁ ସେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଜର୍ମାନୀକୁ ଦେଇଛନ୍ତି ଧନ୍ୟବାଦ । ଆସନ୍ତା ଦିନରେ ଖୁବ ଶୀଘ୍ର ଋଷ ବିରୋଧରେ ଜୋରଦାର ହମଲା କରିବା ଲାଗି ଧମକ ଦେଇଛନ୍ତି ଜେଲେନସ୍କି । ସେପଟେ ୟୁକ୍ରେନକୁ ବ୍ରିଟେନ ଶତାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ଲଙ୍ଗରେଞ୍ଜ ଡ୍ରୋନ ଯୋଗାଇବ ବୋଲି ସୂଚନା ମିଳିଛି ।