ପ୍ରଥମ ଓଡିଆ ବୈଜ୍ଞାନିକ ପାଇବେ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ସମ୍ମାନ

ଭୁବନେଶ୍ବର: ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଁ ମନୋନୀତ ହୋଇଛନ୍ତି ସ୍ବାତୀ ନାୟକ । ସ୍ବାତୀଙ୍କ ଅବଦାନ ବିଶ୍ବର ଯୁବ ବୈଜ୍ଞାନିକଙ୍କୁ ପ୍ରେରଣା ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓ୍ବାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ଘୋଷଣା କରାଯାଇଛି ।

ଏହି ସମ୍ମାନ ବିଶ୍ବର ସବୁଠାରୁ ମର୍ଯ୍ୟାଦା ସମ୍ପନ୍ନ ସମ୍ମାନ । କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ବର୍ଷ ବୟସ ତଳେ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଦିଆଯାଏ । ସ୍ବାତୀ ନାୟକ ଏବେ ମନିଲା ସ୍ଥିତ ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟରତ ଅଛନ୍ତି । ଏହି ସମ୍ମାନ ପାଇଁ ମନୋନିତ ହେବା ପରେ ସ୍ବାତୀ ଗର୍ବିତ ହେବା ସହ କୃଷି ଓ କୃଷକଙ୍କ ଜୀବନର ମାନର ବିକାଶ କରିବାରେ କାର୍ଯ୍ୟରତ ଲୋକଙ୍କୁ ଉତ୍ସର୍ଗୀକୃତ କରିଛନ୍ତି ।

ଆମେରିକାରେ ଅକ୍ଟୋବର ୨୨ରୁ ୨୮ ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିବେ । ସ୍ବାତୀ ଏବେ ସ୍ବାମୀ ପ୍ରିୟଦର୍ଶୀ ବଳଙ୍କ ସହ ନୂଆଦିଲ୍ଲୀରେ ରହୁଛନ୍ତି  । ତାଙ୍କ ବାପା ଲକ୍ଷ୍ମୀଧର ନାୟକ ଓ ମା ବିଜୟଲକ୍ଷ୍ମୀ ନାୟକ ଭୁବନେଶ୍ବରରେ ରହୁଛନ୍ତି ।