ଏଫଆଇଏଚ୍ ପ୍ରୋ ଲିଗ୍ ହକି: ଭୁବନେଶ୍ୱରରେ ପହଞ୍ଚିଲା ଇଂଲଣ୍ଡ ପୁରୁଷ ହକି ଦଳ

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଏଫଆଇଏଚ୍ ପ୍ରୋ ଲିଗ୍ ହକି । ଏଫଆଇଏଚ୍ ପ୍ରୋ-ଲିଗ୍ ହକି ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଲା ଇଂଲଣ୍ଡ ପୁରୁଷ ହକି ଟିମ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଇଂଲଣ୍ଡ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସନ୍ତା ଏପ୍ରିଲ ୨ ଓ ୩ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭାରତ ବିପକ୍ଷରେ ଟର୍ଫକୁ ଓହ୍ଲାଇବ ଇଂଲଣ୍ଡ । ସେପଟେ ଇଂଲଣ୍ଡର ମହିଳା ହକି ଟିମ୍ ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳିଙ୍କୁ କରୋନା ହେବାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବାକୁ ଥିବା ମହିଳା ମ୍ୟାଚକୁ ସ୍ଥଗିତ କରାଯାଇଛି ।

ସୂଚନା ଅନୁସାରେ ଏଫଆଇଏଚ୍ ପ୍ରୋ ଲିଗ୍ ହକିରେ ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୮ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ଓ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ଜର୍ମାନୀ ତଳକୁ ରହିଛି । ତେବେ ଆସନ୍ତା ଏପ୍ରିଲ ୨ ଓ ୩ରେ ଇଂଲଣ୍ଡ ବିପକ୍ଷରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଯିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।