ଫିଫା ବିଶ୍ବକପରେ ଆଜିଠୁ ସେମିଫାଇନାଲ କ୍ଲାସ; ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ କ୍ରୋଏସିଆ

1 min read

ଦୋହା: ଫିଫା ବିଶ୍ବକପରେ ଆଜିଠୁ ସେମିଫାଇନାଲ କ୍ଲାସ । ଆଜି ଦୋହାର ଲୁସାଇଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ଲୁକା ମୋଡ୍ରିକଙ୍କ କ୍ରୋଏସିଆ ବାହିନୀ । ପ୍ରଥମରୁ ବିପର୍ଯ୍ୟୟରୁ ଅଭିଯାନ ଆରମ୍ଭ କରିଥିବା ଆର୍ଜେଣ୍ଟିନା ୨୦୧୪ ପରେ ପ୍ରଥମ ଥର ପାଇଁ ଫାଇନାଲ ଖେଳିବାକୁ ଉଦ୍ୟମ ଜାରି ରଖିଛି । ମେସିଙ୍କ ସ୍ବପ୍ନର ବିଶ୍ବକପ ଟ୍ରଫି ହାସଲ ପାଇଁ ଆଉ ପାଦେ ମାତ୍ର ଦୂରତା ରହିଛି । ୩୬ ବର୍ଷ ପରେ ମେସି ଦେଶକୁ ବିଶ୍ବ ବିଜେତା କରିବାକୁ ସ୍ବପ୍ନ ଦେଖିଆସୁଛନ୍ତି ।

୨୦୧୪ରେ ଫାଇନାଲରେ ଦଳ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ମେସିଙ୍କ ପାଇଁ ଏହା ଶେଷ ବିଶ୍ବକପ ବୋଲି କୁହାଯାଉଥିବାରୁ ଏବଂ ଅନ୍ୟ ଦାବିଦାର ବିଦାୟ ନେଇଥିବାରୁ ଆର୍ଜେଣ୍ଟିନା ପାଇଁ ସମ୍ଭାବନା ବଢିଯାଇଛି । କିନ୍ତୁ କ୍ରୋଏସିଆକୁ କମ ଭାବିବା ଭୁଲ ହେବ । କାରଣ କ୍ରୋଏସିଆର ଡିଫେନ୍ସ ଖୁବ ଷ୍ଟ୍ରଙ୍ଗ । ଏହାର ରକ୍ଷଣ ଭାଗ ବିପକ୍ଷକୁ ମୁସ୍କିଲରେ ପକାଇବାରେ ସକ୍ଷମ । ତେଣୁ ଆର୍ଜେଣ୍ଟିନାକୁ ଧାର୍ଯ୍ୟ ସମୟ ସୀମା ଭିତରେ ରେଜଲ୍ଟ ବାହାର କରିବାକୁ ପଡିବ ।

ଯଦି ସୁଟଆଉଟକୁ ଯାଏ କ୍ରୋଏସିଆର ରେକର୍ଡ ଖୁବ ଭଲ । ଗୋଲକିପର ଡୋମିନିକ ଲିଭାକୋଭିକଙ୍କ ଗୋଲ ଜଗିବା ସଫଳତା ହାର ଖୁବ ଅଧିକ । ତେଣୁ ମେସି ବାହିନୀ ନିଶ୍ଚିତ ନିର୍ଦ୍ଧାରିତ କିମ୍ବା ଏକ୍ସଟ୍ରା ସମୟ ମଧ୍ୟରେ ଫଳାଫଳ ବାହାର କରିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷେ ଶକ୍ତିଶାଳୀ ବ୍ରାଜିଲକୁ ହରାଇ ସେମିଫାଇନଲରେ ପ୍ରବେଶ କରିଥିବା କ୍ରୋଏସିଆ ଫାଇନାଲ ଖେଳିବା ପାଇଁ ଭିନ୍ନ ରଣନୀତି କରି ପଡିଆକୁ ଓହ୍ଲାଇବ ।

ପୂର୍ବରୁ ଆର୍ଜେଣ୍ଟିନା ଓ କ୍ରୋଏସିଆ ଅନ୍ତର୍ଜାତୀୟସ୍ତରରେ ୫ଥର ମୁହାଁମୁହିଁ ହୋଇଥିଲେ ସୁଦ୍ଧା ସଫଳତା ହାର ୫୦-୫୦ ପ୍ରତିଶତ ରହିଛି । ତେଣୁ ସେମିଫାଇନଲ ଲଡେଇ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ କ୍ବାର୍ଟରଫାଇନାଲ ମ୍ୟାଚବେଳେ ମେସିଙ୍କ ରେଫରିଙ୍କୁ ନକରାତ୍ମକ ଟିପ୍ପଣୀ ମହଙ୍ଗା ସାବ୍ୟସ୍ତ ହୋଇପାରେ । ମେସିଙ୍କୁ ଫିଫା ସେମିଫାଇନାଲ କିମ୍ବା ଫାଇନାଲ ଖେଳିବାକୁ ବାସନ୍ଦ କରିପାରେ ।