ପୁଣି ବିଗିଡ଼ିପାରେ ଅର୍ଥ ବ୍ୟବସ୍ଥା ‘ଚାଷୀ ଆନ୍ଦୋଳନ ଯୋଗୁଁ ଦୈନିକ ୩୫୦୦ କୋଟି କ୍ଷତି’

1 min read

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରୀ ଚାମ୍ବର ଆସୋଚାମ୍‌ର କହିବାନୁଯାୟୀ କୃଷକ ଆନ୍ଦୋଳନ ଯୋଗୁଁ ଦେଶ ପ୍ରତିଦିନ ପ୍ରାୟ ୩୫୦୦ କୋଟି ଟଙ୍କା କ୍ଷତି ସହୁଛି । ଏହି କ୍ଷତି ଲଜିଷ୍ଟିକ୍ ଖର୍ଚ୍ଚ ବୃଦ୍ଧି, ଶ୍ରମିକଙ୍କ ଅଭାବ, ପର୍ଯ୍ୟଟନ ସ୍ଥଳି ନଖୋଲିବାର କାରଣରୁ ହେଉଛି । ସେହିଭଳି ଆଉ ଏକ ଇଣ୍ଡଷ୍ଟ୍ରୀ ଚାମ୍ବର, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (CII) ମଧ୍ୟ କହିଛି ଯେ, ଚାଷୀ ଆନ୍ଦୋଳନ ଯୋଗୁଁ ପୁଣି ଥରେ ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ିପାରେ । କରୋନା ପରେ ଧିରେ ଧିରେ ସୁଧୁରୁଥିବା ଆର୍ଥିକ ସ୍ଥିତି ଚାଷୀ ଆନ୍ଦୋଳନ ଦ୍ୱାରା ପୁଣି  ବିଗିଡ଼ିବାର ସମ୍ଭାବନା ରହିଛି ।

ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଆସୋଚାମ) ଏହି ଅସୁବିଧାକୁ ଦୂର କରିବା ପାଇଁ ସରକାର ଏବଂ କୃଷକମାନଙ୍କୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, କୃଷକମାନେ ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ରାଜଧାନୀ ଦିଲ୍ଲୀ ସୀମାରେ ପ୍ରାୟ ୨୦ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ।

ଆନ୍ଦୋଳନର ପ୍ରଭାବ

ଆସୋଚାମର କହିବାନୁଯାୟୀ, ରାଜପଥ ଅବରୋଧ କାରଣରୁ ଅନେକ ସାମଗ୍ରୀର ପରିବହନ ଭିନ୍ନ ରାସ୍ତା ଦେଇ କରାଯାଉଛି । ଯାହା ଦ୍ୱାରା ଲଜିଷ୍ଟିକ୍‌ ଖର୍ଚ୍ଚ ୮ରୁ ୧୦ ପ୍ରତିଶତ ବୃଦ୍ଧି ପାଉଛି । ଏହାଦ୍ୱାରା ଦୈନନ୍ଦିନ ବ୍ୟବହାରିକ ସାମଗ୍ରୀର ମୂଲ୍ୟ ବଢ଼ିବାର ଅଧିକ ସମ୍ଭାବନା ରହୁଛି ।

Farmer Protest Against Modi govt Details

ବିଭିନ୍ନ ଶିଳ୍ପରେ କ୍ଷତି

ଆସୋଚାମ୍‌ ଦାବି କରିଛି ଯେ, ପଞ୍ଜାବ-ହରିୟାଣା-ହିମାଚଳପ୍ରଦେଶ ଭଳି ପରସ୍ପର ସହ ଜଡିତ ଅର୍ଥନୈତିକ କ୍ଷେତ୍ର ପାଇଁ କୃଷକ ଆନ୍ଦୋଳନ ବ୍ୟାପକ କ୍ଷତିକାରକ ସାବ୍ୟସ୍ତ ହେଉଛି ।

ଆସୋଚାମ୍‌ର ଜଣେ ବରିଷ୍ଠ ସଦସ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଏହି ରାଜ୍ୟଗୁଡିକ କୃଷି ଏବଂ ଜଙ୍ଗଲ ଜାତୀୟ ଦ୍ରବ୍ୟ ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ, ବୟନ, ଅଟୋମୋବାଇଲ, ଫାର୍ମ ଯନ୍ତ୍ରପାତି, ଆଇଟି ଆଦି ପ୍ରମୁଖ ଶିଳ୍ପର କେନ୍ଦ୍ର ଅଟନ୍ତି । ପର୍ଯ୍ୟଟନ, ବାଣିଜ୍ୟ, ପରିବହନ ଏବଂ ଆତିଥ୍ୟ ଭଳି ସେବା କ୍ଷେତ୍ରରେ ମଧ୍ୟ ଏହି ରାଜ୍ୟଗୁଡିକ ବହୁତ ଶକ୍ତିଶାଳୀ । କିନ୍ତୁ ଆନ୍ଦୋଳନ ଏବଂ ରାସ୍ତା ଅବରୋଧ ଯୋଗୁଁ ଏହି ସମସ୍ତ କ୍ଷେତ୍ରରେ ବ୍ୟାପକ କ୍ଷତି ହେଉଛି ।

Leave a Reply