କୋଭିଡ କେନ୍ଦ୍ରରେ ଆୟୁଷ ଡାକ୍ତରଙ୍କ ଅସଦାଚରଣଣ; ଡ଼ିଏମ୍ଇଟିର ତଦନ୍ତ ଆରମ୍ଭ

ବଲାଙ୍ଗିର: ମଣିଷ ଯେବେ ମାନସିକତା ହରାଇ ବସେ । ଯେବେ ସାଧାରଣ ଲୋକଙ୍କ ପାଇଁ ଭଗବାନ ପାଲଟିଥିବା ବ୍ୟକ୍ତି ନିଚ ଭାବନାରେ ବୁଡି ଯାଏ । ସେବେ ସାଧାରଣରେ ଖବର ସୃଷ୍ଟି ହେବା ସ୍ୱଭାବିକ । ଏମିତି ଏକ ଘଟଣା ଆସିଛି ବଲାଙ୍ଗୀର ଲରକିପାଲି ସ୍ଥିତ କୋଭିଡ କେୟାର ସେଣ୍ଟରରୁ । ଜଣେ ଦଳିତ ମହିଳା କରୋନା ସଂକ୍ରମିତ ରୋଗୀଙ୍କୁ ଆୟୁଷ ଡାକ୍ତର ପ୍ରଣବ ମିଶ୍ର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପରେ ଆରମ୍ଭ ହୋଇଯାଇଛି ଘଟଣାର ତଦନ୍ତ ।

ମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣର (ଡ଼ିଏମ୍ଇଟି)ର ୨ଜଣିଆ ଟିମ ଆସି ବଲାଙ୍ଗୀରରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଫେସର ବନବିହାରୀ ମିଶ୍ର ଓ ପ୍ରଫେସର ନିର୍ମଳ ଚନ୍ଦ୍ର ମହାପାତ୍ର ତଦନ୍ତ କରୁଛନ୍ତି । ପ୍ରଥମେ ବଲାଙ୍ଗୀର ସିଡ଼ିଏମଓ ଡ଼ା ଭୀମ ସାହୁ ଓ କୋଭିଡ କୋୟର ସେଣ୍ଟର ଦାୟିତ୍ୱରେ ଥିବା ଡ଼ା ଗିରିଜା ଶଙ୍କର ଉଦଗାତାଙ୍କୁ ଭେଟି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

ଖବର ଅନୁଯାୟୀ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଧାନସଭା ଅସଦାଚରଣ ଘଟଣାକୁ ନେଇ ସରକାରଙ୍କୁ ତଦନ୍ତ ପାଇଁ ଦାବି କରିଥିଲେ । ଏନେଇ ରାଜ୍ୟ ସରକାର ଡିଏମଇଟି ନିର୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଡାକ୍ତରଙ୍କ ପରିବାର ଚାପରେ ଘଟଣାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଟାଉନ ଥାନା ପୋଲିସ ଚପେଇ ଦିଆଯାଇଥିଲା ଯାହାକୁ ନେଇ ବଲାଙ୍ଗୀର ବିଧାୟକ ବିଧାନସଭାରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଗତ ସେପ୍ଟେମ୍ବର ୫ ତାରିଖ ସକାଳ ୭ଟା ସମୟରେ ପୀଡିତାଙ୍କୁ ଏକୁଟିଆ ପାଇଁ ଡାକ୍ତର ପ୍ରଣବ ମିଶ୍ର ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ଭୟରେ ଚିତ୍କାର କରିବାରୁ ସେଠାରେ ଚିକିତ୍ସିତ ହେଉଥିବା ତାଙ୍କ ସମ୍ପର୍କୀୟ ଓ ଅନ୍ୟ ରୋଗୀ ମାନେ ଆସି ଡାକ୍ତରକୁ ନିର୍ଧୁମ ମାଡ ମାରିଥିଲେ । କାନ ଧରି ଦୀର୍ଘ ସମୟ ପର୍ଯ୍ୟନ୍ତ ଆଣ୍ଠେଇ ରଖିଥିଲେ ପରେ ପୋଲିସ ଯାଇ ଡାକ୍ତରକୁ ଉଦ୍ଧାର କରି ଥାନାକୁ ଆଣିଥିଲା । କିନ୍ତୁ ପରେ କୌଣସି ଚାପରେ ପଡି ପୋଲିସ ଡାକ୍ତରକୁ ଛାଡି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଘଟଣାକୁ ଚପେଇବାକୁ ଉଦ୍ୟମ କରାଯାଇଥିଲା । ତେବେ ଘଟଣା ପ୍ରଘଟ ହେବା ପରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ସମ୍ପୃକ୍ତ ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

Leave a Reply