ଅଷ୍ଟମଥର ବୈଠକ ବି ବିଫଳ, ଆସନ୍ତା ୮ରେ ପୁଣି ଆଲୋଚନା


ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । ବାହାରିପାରିଲା ନାହିଁ କୌଣସି ନିଷ୍କର୍ସ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ଫେଲ ମାରିଛି । ତେଣୁ ପୁନର୍ବାର ଆସନ୍ତା ୮ ତାରିଖରେ ବୈଠକ ବସିବାକୁ ଉଭୟ ପକ୍ଷଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଛି  । ତଦନୁଯାୟୀ ଦିନ ଧାର୍ଯ୍ୟ ହୋଇଛି ।

ସେପଟେ ଆଜିର ବୈଠକରେ ଦୁଇ ପ୍ରମୁଖ ଦାବି ଉପସ୍ଥାପନା କରିଥିଲା ଚାଷୀ ସଂଗଠନ । ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି ।

ଜିଦରେ ଅଡିବସିଥିବା ଚାଷୀ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି  । ଫଳରେ ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ଏବଂ ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଅଷ୍ଟମଥରର ଏହି ବୈଠକ ଏକପ୍ରକାର ବିଫଳ ହୋଇଥିବା ଜଣାପଡିଛି । ସେପଟେ ଏହାକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର  ।

ତୋମାର କହିଛନ୍ତି, ଆଲୋଚନା ସକାରତ୍ମକ ରହିଛି  । ଆସନ୍ତା ୮ ତାରିଖରେ ବୈଠକ ଫଳପ୍ରଦ ହେବାନେଇ ଆଶା ରହିଛି  । ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି  । କିନ୍ତୁ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି ସପକ୍ଷରେ ସରକାର ନାହାଁନ୍ତି  । ଏହା ଦେଶର ଚାଷୀଙ୍କ ହିତ ପାଇଁ ସରକାର ପ୍ରଣୟନ କରିଛନ୍ତି, ଆଇନକୁ ବରଖାସ୍ତ କରିବାର କୌଣସି ପ୍ରଶ୍ନ ଉଠୁନାହିଁ  ।

ଜାନୁଆରୀ ୮ ତାରିଖରେ ଆଗାମୀ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ଥିବାବେଳେ କୃଷି ମନ୍ତ୍ରୀ କହିଛନ୍ତି, ତାଳି  ବାଜିବା ପାଇଁ ଉଭୟ ହାତର ଆବଶ୍ୟକତା ରହିଛି  । ସରକାର ପ୍ରସ୍ତୁତ ରହିଛନ୍ତି, ଚାଷୀ ସଂଗଠନ ମଧ୍ୟ ପ୍ରସ୍ତୁତ ରହିବା ଦରକାର । ଖୁବ ଜଲ୍ଦୀ ଏହି ବିବାଦରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି  । ସରକାର ସମସ୍ତ ଚାଷୀଙ୍କ ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ନରେନ୍ଦ୍ର ସିଂ ତୋମାର  ।

Leave a Reply