ନକଲି ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ମାନସ
1 min read
ଭୁବନେଶ୍ବର : ଚାକିରି ନକଲି କିନ୍ତୁ ଠାଣି ପୁରା ଅସଲି । ନକଲି ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତି । ଭାଇରାଲ ହୋଇଛି ଫଟୋ ଓ କିଛି ଡକ୍ୟୁମେଣ୍ଟ । ନନ୍ଦିଘୋଷ ଟିଭି ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ ଫଟୋ ଓ ଗୃହ ବିଭାଗର ପ୍ରମୋସନ ଲେଟର କୁ ଭଲକରି ଦେଖନ୍ତୁ । ଡେପୁଟି ଏସପି ଭାବେ କୁଆଡେ ହୋଇଥିଲା ମାନସ ସେନାପତିର ପ୍ରମୋସନ। ଏହି ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ । ତେବେ ଏହି ନୋଟିଫିକେସନ ର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ସେପଟେ ଫେସବୁକ ଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋ ଗୁଡିକୁ ନଜର ପକାନ୍ତୁ । ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ଏହି ନକଲି ପୋଲିସ ନିଜକୁ ଅସଲି ବୋଲି ପ୍ରମାଣ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ ।
ରବିବାର ରାତି ୧୨ ଟା ୩୦ ବେଳେ ସହିଦନଗର ଥାନା IDBI ବ୍ୟାଙ୍କ ଆଗରେ ଚେକିଂ ଚାଲିଥିବା ବେଳେ ଏକ ବ୍ଲୁ ରଙ୍ଗର ସୁଇଫ୍ଟ କାରରେ ଧରାପଡିଥିଲେ ମାନସ ସେନାପତି ଓ ଆଶିଷ ସ୍ୱାଇଁ । ଗାଡି ଚେକିଂ ବେଳେ ମିଳିଥିଲା ପୋଲିସ ପୋଷାକ, ଜୋତା, ବେଲ୍ଟ, ଟୋପି, ବ୍ୟାଜ ଓ କିଛି ଷ୍ଟାମ୍ପ । ବରିଷ୍ଠ ଅଧିକାରୀଙ୍କ ସାଇନ ମରାଯାଇଥିବା କିଛି ଆପଏଣ୍ଟମେଣ୍ଟ ଲେଟର । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କାର ଡାସବୋର୍ଡ ରୁ ମିଳିଥିଲା ୧ ଲକ୍ଷ ୯୭ ହଜାର ଟଙ୍କା । ଯାହାକି ଅବିକଳ ଅସଲି ପରି ଦେଖାଯାଉଥିବା ନକଲି ନୋଟ ।