ନନ୍ଦିଘୋଷ ବ୍ୟୁରୋ : ଢୋଲ, ନିଶାନ ଓ ଘୁମୁରାର ଘୁମ୍ଘୁମ୍ ଶବ୍ଦରେ ଦୁଲୁକୁଛି ଗାଁ ଦାଣ୍ଡ। ପିଠାପଣାରେ ମହକୁଛି ପରିବେଶ। ଆରମ୍ଭ ହୋଇଛି କଳାହାଣ୍ଡିର ନୂଆଁଖାଇ ପର୍ବ। ସପ୍ତପୁରୀ ଅମାବାସ୍ୟା ପରଦିନ ପଥର୍ଲା, ବାହାଦୁର ପଦର ଓ ପଲକାପଡ଼ା ଗାଁରେ ଧୁମ୍ଧାମରେ ନୂଆଁଖାଇ ପାଳିତ ହୋଇଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ସାଧାରଣତଃ ଗୋଟିଏ ଦିନରେ ନୂଆଁଖାଇ ପାଳନ ହେଉଥିବା ବେଳେ କଳାହାଣ୍ଡିରେ ଏହା ପର୍ଯ୍ୟାୟକ୍ରମେ ପାଳନ କରାଯାଏ। ନୂଆଁଖାଇ ଅବସରରେ ପ୍ରଥମେ ଗାଁର ଇଷ୍ଟଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ନବାନ୍ନ ଲାଗି କରାଯାଇଥିଲା। ଏହାପରେ ସାନମାନେ ନୂଆ ବସ୍ତ୍ର ପିନ୍ଧି ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ପରେ ଜମିଥିଲା ନାଚଗୀତର ଆସର।
କଳାହାଣ୍ଡିରେ ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ ହେଉଥିବା ନୂଆଁଖାଇ ପର୍ବ ଦଶହରା ଦଶମୀରେ ଶେଷ ହୋଇଥାଏ। ଆସନ୍ତା ୧୫ ତାରିଖରେ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପାଳନ କରିବେ। ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ। ଲୋକେ ସଜବାଜ ହେବା ସହ ଘରଦ୍ୱାର ଲିପାପୋଛା କରୁଛନ୍ତି। ଲୁଗା ଦୋକାନଠାରୁ ଆରମ୍ଭ କରି ପରିବା ହାଟ ପର୍ଯ୍ୟନ୍ତ ସବୁଠି ଲାଗିଛି ଲୋକଙ୍କ ଭିଡ଼। ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଜଶପୁର ଗାଁ ମଧ୍ୟ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଘରେ ଘରେ ଚାଲିଛି ପ୍ରସ୍ତୁତି। ନୂଆ ଧାନ, ନୂଆ ପୋଷାକ ଓ ପାରମ୍ପରିକ ରୀତିନୀତି ସହ ନୂଆଁଖାଇକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଉତ୍ସାହ।

