ଫ୍ୟାକ୍ଟ ଚେକ୍: କରୋନା ସଂକ୍ରମିତ ସଂଗରୋଧରେ ରହିବା ଆବଶ୍ୟକ ନୁହେଁ ବୋଲି WHO କହିଛି କି ? ଜାଣନ୍ତୁ ସତ…

1 min read

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାର ଲାଗିଛି । କରୋନାକୁ ନେଇ ଏହି ଭିଡିଓ । ଭିଡିଓରେ ଦାବି କରାଯାଇଛି ଯେ, କରୋନା ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖିବାର ଆବଶ୍ୟକତା ନାହିଁ କିମ୍ବା କରୋନା ଜଣେ ବ୍ୟକ୍ତିଠାରୁ ଆଉ ଜଣକୁ ସଂକ୍ରମିତ ହୁଏନାହିଁ । ସବୁଠୁ ବଡ କଥା ହେଲା ଭିଡିଓରେ ଦାବି କରାଯାଉଛି ଯେ, ଏସବୁ କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ କହିଛି । ଆପଣ ଯଦି ଏହି ଭିଡିଓକୁ ଦେଖିଛନ୍ତି ଓ ଭିଡିଓକୁ ଆଖିବୁଜି ବିଶ୍ୱାସ କରିଛନ୍ତି ତେବେ ସତର୍କ ହୋଇଯାନ୍ତୁ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏଭଳି କୌଣସି କଥା କୁହାଯାଇନାହିଁ । ଆପଣଙ୍କ ପାଖକୁ ଫରୱାର୍ଡରୁ ଫରୱାର୍ଡ୍ ହୋଇ ଆସିଥିବା ଭିଡିଓ ଏଗଦମ ମିଛ ।

ଭିଡିଓରେ କ’ଣ ଅଛି ?

https://www.facebook.com/toby.lee.5201254/videos/262045161748489/

ଏହି ଭିଡିଓରେ ହୁ’ର କରୋନା ଭାଇରସ ମହାମାରୀ ଟେକନିକାଲ ମୁଖ୍ୟ ଡ.ମାରିଆ ଏହା କହୁଛନ୍ତି ଯେ,  ଆମ ପାଖରେ ଥିବା ଡାଟାରୁ ଏହା ଜଣା ପଡୁଛି ଯେ, ଲକ୍ଷଣହୀନ ବ୍ୟକ୍ତି ଆଉ କାହାରିକି ସଂକ୍ରମିତ କରିବା ବିରଳ’’

ଏହି ଭିଡିଓ କ୍ଲିପ୍ ଉପରେ ଥିବା କ୍ୟାପସନରେ ଦାବି କରାଯାଇଛି ଯେ, WHO ନେଲା ସମ୍ପୂର୍ଣ୍ଣ ୟୁଟର୍ଣ୍ଣ ଓ ବର୍ତ୍ତମାନ କରୋନା ସଂକ୍ରମିତଙ୍କୁ ସଂଗରୋଧରେ ରଖିବାର ଆବଶ୍ୟକତା ନାହିଁ କାରାଣ ଏହା ଜଣେ ବ୍ୟକ୍ତିଠାରୁ ଆଉ ଜଣଙ୍କୁ ସଂକ୍ରମିତ ହୁଏନା ।

ମାରିଆ ଭିଡିଓରେ ଏଭଳି କଥା କହିଛନ୍ତି ସତ କିନ୍ତୁ ହୁ’ର ତାଜା ଗାଇଡଲାଇନ୍ କୋଭିଡ୍-୧୯କୁ ସଂକ୍ରାମକ ରୋଗ ବୋଲି କହୁଛି । ଏହାକୁ ସେହିଭଳି ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ହୁ’ ଗାଇଡଲାଇନ୍ ଅନୁସାରେ ‘ କୋଭିଡ-୧୯ ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟଜଣେ ସଂକ୍ରମିତ ହୋଇପାରେ । ଏହି ରୋଗ ମୁଖ୍ୟତଃ ଜଣକଠାରୁ ଆଉ ଜଣକୁ ହୋଇଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ନାକ,ପାଟିରୁ ବାହାରୁଥିବା ଛୋଟ ଡ୍ରପଲେଟରୁ ଏହା ବ୍ୟାପିଥାଏ । ଏହି କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଏ ।

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ ସଂଗରୋଧ ଓ ସାମାଜିକ ଦୂରତା ଜରୁରୀ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି । ଅନ୍ୟପକ୍ଷରେ ମାରିଆ କହିଛନ୍ତି ଯେ, ତାଙ୍କ ବକ୍ତବ୍ୟକୁ ଭୁଲ ବୁଝା ଯାଇଛି । ସେ ‘ଅତି ବିରଳ’ କୋଭିଡ୍ କେସ୍ କଥା କହିଥିଲେ । ମୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ବିଷୟରେ କହୁନଥିଲି

ତେବେ ସତ କ’ଣ ?

ସତ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି କୌଣସି କଥା କହିନାହିଁ । କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା,ସଂଗରୋଧ ଜରୁରୀ ବୋଲି ଏବେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି । ତେଣୁ ଏଭଳି ଭ୍ରାମକ ଭିଡିଓକୁ ବିଶ୍ୱାସ କରି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତୁ ନାହିଁ ।

Leave a Reply