spot_img

Latest Posts

ପରକୀୟା ପ୍ରୀତିର କରୁଣ ପରିଣତି : ବିଦ୍ୟୁତ ପୋଲରେ ବାନ୍ଧିଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଏକ ସନ୍ଦେହଜନକ ତଥା ଚାଞ୍ଚଲ୍ୟକର ଘଟଣା, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାମୀ ଥାଉ ଥାଉ ଗାଁର ଅନ୍ୟ ଜଣେ ପୁଅ ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ବିଦ୍ୟୁତ୍ ପୋଲରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡା ପଂଚାୟତ ମୋହିଗୁଡା ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଏକ କଙ୍ଗାରୁ କୋର୍ଟ ଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ସ୍ତ୍ରୀ ପ୍ରେମିକକୁ ନିଜ ଘରକୁ ଡାକିଥିଲେ। ତେବେ ହଠାତ୍ ସ୍ୱାମୀ ଘରକୁ ଫେରିବା ପରେ ଉଭୟଙ୍କୁ ଘର ଭିତରେ ଏକ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏଥିରେ ସ୍ୱାମୀଜଣକ କ୍ରୋଧାନ୍ୱିତ ହୋଇ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଘର ଭିତରୁ ଟାଣିଆଣି ଗାଁ ଦାଣ୍ଡକୁ ଆଣିଥିଲେ।

ସ୍ୱାମୀ ଜଣକ ନିଜ ସ୍ତ୍ରୀ ଓ ପରପୁରୁଷ କୁ ଗାଁ ଦାଣ୍ଡରେ ଥିବା ଏକ ବିଦ୍ୟୁତ ପୋଲରେ ଦଉଡ଼ିରେ ବାନ୍ଧି ଦେଇଥିଲେ। ଏହାପରେ ଉଭୟଙ୍କୁ ଗ୍ରାମବାସୀଙ୍କ ସାମ୍ନାରେ ନିସ୍ତୁକ ମାଡ ମାରିଥିଲେ। ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ସମୟରେ ଗ୍ରାମବାସୀମାନେ କେହି ତାଙ୍କୁ ଅଟକାଇବା ପରିବର୍ତ୍ତେ ତମାସା ଦେଖୁଥିଲେ।

ଏହି ବର୍ବରୋଚିତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ହିଞ୍ଜିଳି ଥାନା ପୋଲିସର ନଜରକୁ ଆସିଥିଲା। ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ପ୍ରେମିକକୁ ଗିରଫ କରିଛି। ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Latest Posts

Don't Miss