୮୪୩୩ କୋଟି ଟଙ୍କାର ମିଶନରୁ ଋଷକୁ ବାହାର କଲା ୟୁରୋପିୟ ସ୍ପେସ ଏଜେନ୍ସି
1 min readନୂଆଦିଲ୍ଲୀ: ଆଉ ଥରେ ଋଷକୁ ସହିବାକୁ ପଡ଼ିଲା କ୍ଷତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି । ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ଋଷର ସ୍ପେସ୍ ଏଜେନ୍ସି (Roscosmos)କୁ ମଙ୍ଗଳ ମିଶନରୁ ବାହାର କରି ଦେଇଛି । ବର୍ତ୍ତମାନ ଏହି ମିଶନରେ ଋଷର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କର କୌଣସି ସାହାଯ୍ୟ ନିଆଯିବ ନାହିଁ । ଏହି ମିଶନଟି ପ୍ରାୟ ୮୪୩୩ କୋଟି ଟଙ୍କାର । ଯେଉଁଥିରେ ୟୁରୋପୀୟ ଦେଶ ସହ ଋଷ ମଧ୍ୟ ସାମିଲ ଥିଲା ।
ଆସନ୍ତା ସେପ୍ଟେମ୍ବରରେ ESA ଏବଂ ଋଷର ସ୍ପେସ୍ ଏଜେନ୍ସି ଏକ୍ସୋମାର୍ସ (ExoMars) ମିଶନଟିକୁ ଲଞ୍ଚ କରିଥାନ୍ତେ । ESA ମହାନିର୍ଦ୍ଦେଶକ ଜୋସେଫ ଏସବାସ୍କର କହିଛନ୍ତି ଯେ, ExoMars ହେଉଛି ଏକ ରୋଭର, ଯାହାକୁ ମଙ୍ଗଳ ଗ୍ରହକୁ ପଠାଯିବ, ଏବଂ ରୋଭରଟି ସେଠାକାର ଐତିହାସିକ ତଥା ପ୍ରାଚୀନ ପରିବେଶର ଅନୁସନ୍ଧାନ କରିପାରିବ । ଯାହା ଦ୍ୱାରା ଜୀବନର ଉତ୍ପତ୍ତିର ପ୍ରମାଣ ଗୁଡ଼ିକୁ ଖୋଜା ଯାଇପାରିବ । ଭବିଷ୍ୟତରେ ଜନବସତୀର ସମ୍ଭାବନା ଉପରେ ମଧ୍ୟ ଅଧ୍ୟୟନ କରାଯାଇପାରିବ । ଜୋସେଫ କହିଛନ୍ତି ଯେ ବର୍ତ୍ତମାନ ଏହି ମିଶନକୁ ଲଞ୍ଚ କରିବାକୁ ସମୟ ଲାଗିବ । କାରଣ ବର୍ତ୍ତମାନ ସ୍ଥିତି କିଛି ଠିକ୍ ନାହିଁ । ୟୁରୋପୀୟ ଦେଶମାନେ ରୁଷକୁ ଏହି ମିଶନରୁ ବହିଷ୍କାର କରିଛନ୍ତି । ବର୍ତ୍ତମାନ ଏହି ରୋଭରର ଶୁଭାରମ୍ଭ ବିଷୟରେ ପୁନର୍ବାର ଯୋଜନା କରାଯିବ । ସେହି ଅନୁଯାୟୀ ପ୍ରସ୍ତୁତି କରାଯିବ ।
ଏହି ରୋଭରଟିକୁ ESA ନିର୍ମାଣ କରିଥିଲା କିନ୍ତୁ ରୋଭରକୁ ଋଷର ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଥାନ୍ତା । ଯଦିଓ ESAକୁ କିଛି କ୍ଷତି ସହିବାକୁ ପଡ଼ିବ କିନ୍ତୁ ଅଧିକ କ୍ଷତି ଋଷ ସହିବ ବୋଲି କୁହାଯାଉଛି । ଏହାସହ ଏହି ମିଶନଟିକୁ ୨୦୨୪ରେ ଲଞ୍ଚ ହେବା କଥା ମଧ୍ୟ କୁହାଯାଉଛି । ବର୍ତ୍ତମାନ ନାସା (NASA) ସହଯୋଗରେ ESA ଲଞ୍ଚ କରାଯିବା ପାଇଁ ଆଲୋଚନା ଚାଲିଛି । ଜୋସେଫ ଅଶ୍ୱସନା ଦେଇ କହିଛନ୍ତି ଯେ ଆମେରିକାର ସ୍ପେସ୍ ଏଜେନ୍ସି ଏହି ପ୍ରକଳ୍ପରେ ଜଡିତ ହେବାକୁ ପ୍ରସ୍ତୁତ ।