ରାଜଧାନୀରେ ବଢ଼ୁଛି ରାଜନୈତିକ ଉଷ୍ମତା, ଖରା ତାତିରେ ଚାଲିଛି ଜୋରଦାର ପ୍ରଚାର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି । ରାଜଧାନୀରେ ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ମାହୋଲ । ହାତରେ ଆଉ କମ୍ ସମୟ ଥିବାରୁ ଖରା ତାତିରେ ଚାଲିଛି ଜୋରଦାର ପ୍ରଚାର । କମ୍ ଦିନରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି ପ୍ରାର୍ଥୀ । ଭୁବନେଶ୍ବର ମହାନଗର ନିଗମ ମେୟର ପ୍ରାର୍ଥୀ ସୁଲୋଚନା ଦାସ ମଧ୍ୟ ୱାର୍ଡ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି । ସୁଲୋଚନା ଦାସ୍ ସାଙ୍ଗରେ କର୍ପୋରେଟର ପ୍ରାର୍ଥୀଙ୍କ ସହ ସମର୍ଥକଙ୍କୁ ନେଇ କେତେ ବେଳେ ରୋଡ୍ ଶୋ’ କରି ତ କେବେ ପୁଣି ଚାଲି ଚାଲି ଭୋଟରଙ୍କ ପାଖକୁ ଯାଉଛନ୍ତି । ଘର ଘର ବୁଲି ଲୋକଙ୍କ ନିକଟତର ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ସୁଲୋଚନାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ମହାନଗର ନିଗମର ତିନି ବିଧାୟକ ।

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୪ରେ ତିନି ମହାନଗର ନିଗମ ସମେତ ୧୦୬ ପୌରାଞ୍ଚଳରେ ନିର୍ବାଚନ ହେବ । ପ୍ରଚାର ପାଇଁ ହାତରେ ଆଉ କମ୍ ସମୟ ରହିଥିବାରୁ ବିଭିନ୍ନ ଓ୍ୱାର୍ଡରେ ଚାଲିଛି ଜୋରଦାର ପ୍ରଚାର । ଅନ୍ୟପକ୍ଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଳାର ବିଭିନ୍ନ ଓ୍ୱାର୍ଡରୁ ୮ ଜଣଙ୍କୁ ନିଲମ୍ବନ କରିଛି ବିଜୁ ଜନତା ଦଳ ।