ସେଙ୍ଗୋଲ କଣ? ସଂସଦ ଭବନ ଉଦଘାଟନରେ ସାମିଲ ହେବେ ନିର୍ମାତା

ନୂଆଦିଲ୍ଲୀ: ଆସନ୍ତା ମେ ୨୮ରେ ନୂତନ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ତାମିଲନାଡୁର କଳାକାର ସଂସଦ ଉଦ୍ଦେଶ୍ୟରେ ପବିତ୍ର ସେଙ୍ଗୋଲ (ରାଜଦଣ୍ଡ) ହସ୍ତାନ୍ତର କରିବେ  । ସଂସଦ ଭବନର ବାଚସ୍ପତିଙ୍କ ଆସନ ନିକଟରେ ସେଙ୍ଗୋଲକୁ ସ୍ଥାପିତ କରାଯିବ  । ୧୯୪୭ରେ ଇଂରେଜ ମାନେ ଭାରତକୁ ଶାସନ ଭାର ହସ୍ତାନ୍ତର କରିବା ସମୟରେ ପ୍ରତୀକ ଭାବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ସେଙ୍ଗୋଲ ହସ୍ତାନ୍ତର କରିଥିଲେ  ।

 

ଦକ୍ଷିଣ ଭାରତରେ ଯେତେବେଳେ ଚୋଳ ରାଜବଂଶଙ୍କ ସାମ୍ରାଜ୍ୟ ଥିଲା ଶାସନ ହସ୍ତାନ୍ତର ସମୟରେ ଜଣେ ରାଜା ଅନ୍ୟ ରାଜାଙ୍କୁ ସେଙ୍ଗୋଲ ପ୍ରଦାନ କରୁଥିଲେ  । ତାମିଲ ରାଜାଙ୍କ ନିକଟରେ ସେଙ୍ଗୋଲ ନ୍ୟାୟ ଓ ସୁଶାନର ପ୍ରତୀକ ଭାବେ ଗ୍ରହଣ କରାଯାଏ  । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଥିରୁବାବଦୁଥୁରଇ ମଠ ମହନ୍ତଙ୍କ ଠାରୁ ଏହାକୁ ଗ୍ରହଣ କରିଥିଲେ  ।

 

ଥିରୁବାବଦୁଥୁରଇ ମଠକୁ ସେଙ୍ଗୋଲ ତିଆରି କରିବା ଦାୟିତ୍ବ ଦେବାକୁ ସେତେବେଳେର ମହନ୍ତ ଜବାହାରଲାଲ ନେହେରୁଙ୍କୁ ରାଜି କରିଥିଲେ  । ନେହେରୁ ମଧ୍ୟ ଏହି ପ୍ରସ୍ତାବକୁ ସେତେବେଳେ ସ୍ବୀକାର କରିଥିଲେ  । ଚୋଳ ଯୁଗର ପରମ୍ପରାକୁ ଧ୍ୟାନ ଦେଇ ସେଙ୍ଗୋଲ ତିଆରି ହୋଇ ହସ୍ତାନ୍ତର କରାଯାଉଥିଲା  ।

 

୧୫ ହଜାରରେ ସେଙ୍ଗୋଲ ତିଆରି

୧୯୪୭ରେ ମାଡ୍ରାସର ସ୍ବର୍ଣ୍ଣକାର ବୁମିଡି ବଙ୍ଗାରୁ ଚିଟି ହସ୍ତଶିଳ୍ପ କାରିଗରଙ୍କ ଦ୍ବାରା ଏହାକୁ ତିଆରି କରିଥିଲେ  । ଏକ ମାସରୁ କମ ସମୟ ମଧ୍ୟରେ ଏହା ତିଆରି ହୋଇଥିଲା  । ଏଥିପାଇଁ ବୁମିଡି ବଙ୍ଗାରୁଙ୍କୁ ୧୫ ହଜାର ଟଙ୍କା ମିଳିଥିଲା  । ଏହାକୁ ତିଆର କରିଥିବା ୯୬ ବର୍ଷୀୟ ବୁମିଦି ଏଥିରାଜୁଲୁ ଓ ୮୮ ବର୍ଷୀୟ ବୁମିଦି ସୁଧାକର ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବେ  । ଅଗଷ୍ଟ ୧୪, ୧୯୪୭ରେ ଶାସନ ହସ୍ତାନ୍ତର ସମୟରେ ତିନି ଜଣ ସେତେବେଳେ ସ୍ବତନ୍ତ୍ର ରୁପେ ତାମିଲନାଡୁରୁ ଦିଲ୍ଲୀ ଆସିଥିଲେ  ।

 

ସେଙ୍ଗୋଲ କଣ?

ଏକ ଦଣ୍ଡ ଆକୃତିର ସେଙ୍ଗୋଲ ରାଜଦଣ୍ଡ ହୋଇଥାଏ  । ଏହା ରାଜାର ଶକ୍ତି ପରାକ୍ରମର ପ୍ରତୀକ ଅଟେ  । ଭାରତୀୟଙ୍କ ହାତରେ ଶାସନ ଭାର ହସ୍ତାନ୍ତର ସମୟରେ ସେଙ୍ଗୋଲର ବ୍ୟବହାର କରାଯାଏ  । ନୂଆ ଶାସକଙ୍କୁ ନ୍ୟାୟପୂର୍ଣ୍ଣ ଶାସନ କରିବା ପାଇଁ ସେଙ୍ଗୋଲ ହସ୍ତାନ୍ତର ହୁଏ  । ଜବାହାରଲାଲ ନେହେରୁଙ୍କୁ ଯେଉଁ ସେଙ୍ଗୋଲ ପ୍ରଦାନ କରାଯାଇଥିଲା ତାହା ୫ ଫୁଟର ଥିଲା  । ସେଙ୍ଗୋଲ ରୂପା ନିର୍ମିତ ହୋଇଥିଲାବେଳେ ଏହା ଉପରେ ସୁନାର ପରସ୍ତ ଦିଆଯାଇଥାଏ  ।