ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ଆରମ୍ଭ ହେଲା ନାମଲେଖା

1 min read

ଭୁବନେଶ୍ୱର: ନୂଆ ମେଡିକାଲ କଲେଜ ପାଇଁ ହୋଇଛି ନାମାଲେଖା । ଆଜି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ନାମଲେଖା ହୋଇଥିବାବେଳେ ଆସନ୍ତାକାଲି ହାଇଟେକ୍ କଲେଜ ପାଇଁ ହେବ ଆଡମିସନ୍ । ଏଥର ହାଇଟେକ୍ ମେଡିକାଲର ବର୍ଦ୍ଧିତ ୫୦ ସିଟରେ ନାମ ଲେଖାଇବେ ଛାତ୍ରଛାତ୍ରୀ । ମୋଟ ୧ ହଜାର ୪୬୬ ସିଟ୍ ପାଇଁ ଏଥର ହେବ ନାମାଲେଖା । ତେବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।

ଚାଲିଛି ପ୍ରଥମ ପର୍ଯ୍ୟାୟ ମେଡିକାଲ କାଉନସେଲିଂ । ଫେବ୍ରୁଆରୀ ୮ତାରିଖରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରବିବାର ପ୍ରଥମ ରାଉଣ୍ଡର ଶେଷ ନାମାଲେଖା । ନୂଆ କରି ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଆଡ଼ମିଶନକୁ ଅନୁମତି ମିଳିଥିବାବେଳେ ଓଜେଇଇ ୮୫ଟି ସିଟ୍ ପାଇଁ ଆଡମିଶନ କରିଛି । ବଳକା ୧୫ ସିଟରେ ନିଟ୍ ମାଧ୍ୟମରେ ଅଲ ଇଣ୍ଡିଆ କୋଟାରେ ହେବ ନାମାଲେଖା । ତେବେ ପୁରୀ ମେଡିକାଲ କଲେଜରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ପ୍ରଥମ ବ୍ୟାଚ ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ।

ରାଜ୍ୟର ୯ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜର ମୋଟ ୧ ହଜାର ୩୧୨ MBBS ଓ ୧୫୪ BDS ସିଟ ପାଇଁ ଆଡମିଶନ କରୁଛି OJEE । ଚଳିତବର୍ଷ ହାଇଟେକ ମେଡିକାଲ କଲେଜରେ ୫୦ ନୂଆ ସିଟ ପାଇଁ ଆଡମିଶନ କରାଯାଉଛି । ରବିବାର ଏଥିପାଇଁ ହେବ ନାମଲେଖା । ଏହାପରେ ୧୪ ତାରିଖ ଦିନ ପ୍ରକାଶ ପାଇବ ଭେକେଣ୍ଟ ସିଟ ମାଟ୍ରିକସ ବା ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ଥିବ ସିଟ ତାଲିକା । ଦ୍ଵିତୀୟ ପର୍ଯ୍ୟାୟ ଆଡ଼ମିଶନ ପାଇଁ ୧୫ ଓ ୧୬ ଦୁଇ ଦିନ ଛାତ୍ରଛାତ୍ରୀ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ । ପ୍ରଥମ ପର୍ଯ୍ୟାୟ କାଉନସିଲିଂ ପ୍ରକ୍ରିୟାରେ ମାତ୍ର ୮୦୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଚଳିତବର୍ଷ ନଭେମ୍ବରରୁ ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ବି ଆଡମିଶନ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ଏମ.ସି.ସି ନିର୍ଦ୍ଦେଶ ଦେଇଛି ।

Leave a Reply