ନୂଆ ମାଲିକ ଆସିବା ପରେ ଟ୍ୱିଟରର ସିଇଓ ପଦରୁ ହଟି ପାରନ୍ତି ଭାରତର ପରାଗ ଅଗ୍ରୱାଲ
ୱାଶିଂଟନ: ଟ୍ୱିଟରର ସିଇଓ ହୋଇପାରନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ । ଯଦିଓ ଏହାକୁ ନେଇ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ସେ ଅସ୍ଥାୟୀ ଭାବେ ଅର୍ଥାତ ନୂଆ ସିଇଓ ନିଯୁକ୍ତ ହେବା ଯାଏ ଏହି ପଦରେ ରହିବେ । ଏଥିରୁ ସ୍ପଷ୍ଟ ଯେ, ୫ ମାସ ତଳେ ଟ୍ୱିଟର୍ର ସିଇଓ ହୋଇଥିବା ପରାଗ ଅଗ୍ରୱାଲଙ୍କୁ ଏଲନ ମସ୍କ ଏହି ପଦରୁ ବିଦାୟ ଦେଇ ପାରନ୍ତି । ସୂଚନା ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା ଏଲନ ମସ୍କ ବିଧିବଦ୍ଧ ଟ୍ୱିଟର୍ର ମାଲିକାନା ହାସଲ କରିବେ । ଏହାପରେ ହିଁ ସେ ଟ୍ୱିଟରର ସିଇଓ ପଦକୁ ହାତେଇ ପାରିବେ ଏହା ବ୍ୟତୀତ ସେ ଟ୍ୱିଟରରେ ଆଉ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ତେବେ କାଗଜପତ୍ର କାମ ସରିବା ପରେ ହିଁ ସେ ସିଇଓଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ପଦପଦବୀରେ ପରବର୍ତ୍ତନ ହେବ ବୋଲି ଜଣାପଡ଼ିଛି । ପୂର୍ବତନ ସିଇଓ ଜ୍ୟାକ ଡୋରସେଙ୍କୁ ମଧ୍ୟ ମସ୍କ ପୁଣି କମ୍ପାନୀରେ ନିଯୁକ୍ତି ଦେବାକୁ ବିଚାର କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।