ବିଦ୍ୟୁତ ସଙ୍କଟ: ସର୍ବକାଳୀନ ସ୍ତରରେ ଦେଶରେ ବିଜୁଳି ଚାହିଦା

1 min read

ନୂଆଦିଲ୍ଲୀ : ଅସହ୍ୟ ଗୁଳୁଗୁଳି ଯୋଗୁଁ ଦେଶରେ ବିଜୁଳି ଚାହିଦା ବଢିବାରେ ଲାଗିଛି। ତେବେ ବିଜୁଳି ଉତ୍ପାଦନ ବଢୁନାହିଁ । ଏପରି ସମୟରେ ଦେଶ ଏକ ଚତୁର୍ଥାଶଂ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ହୋଇଯାଇଛି । ଏଥିଯୋଗୁଁ ଗୁରୁତର ବିଦ୍ୟୁତ ସଙ୍କଟ ଦେଖାଯାଇଛି । ୧୬ ରାଜ୍ୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯାଉଛି । ସରକାରୀ ରେକର୍ଡ ଅନୁଯାୟୀ ଦେଶରେ ୧୦ ହଜାର ମେଗାୱାଟ ଅର୍ଥାତ୍ ୧୫ କୋଟି ୟୁନିଟ ଅଭାବ ଦେଖାଦେଉଛି । ମାତ୍ର ବାସ୍ତବରେ ଏହାଠାରୁ ଅଧିକ ବିଦ୍ୟୁତ ଅଭାବ ରହିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ବିଜୁଳି ଚାହିଦା ସର୍ବକାଳୀନ ସ୍ତରରେ ପହଞ୍ଚିଛି । ଶୁକ୍ରବାର ଦ୍ବିପହର ୨ଟା୫୦ରେ ବିଜୁଳି ଚାହିଦା ୨ ଲକ୍ଷ ୭ ହଜାର ୧୧୧ ମେଗାୱାଟକୁ ଛୁଇଁଥିଲା । ଏହା ମଧ୍ୟରେ ରେଳ ମନ୍ତ୍ରାଳୟ ବଡ଼ ପଦକ୍ଷେପ ନେଇଛି । ପାୱାର ପ୍ଲାଣ୍ଟକୁ କୋଇଲା ଯୋଗାଣ ବୃଦ୍ଧି କରିବା ପାଇଁ ୬୫୭ ଟ୍ରେନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ କରିଦିଆଯାଇଛି।

କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ତାପଜ ବିଦ୍ୟୁତ କେନ୍ଦ୍ର ନିକଟରେ ୨୧.୫ ମିଲିୟନ ଟନ କୋଇଲା ଗଚ୍ଛିତ ରହିଛି । ଲୋକେ ଭୟ କରିବାର ଆବଶ୍ୟକତା ନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ପ୍ରତିଦିନ ଗଚ୍ଛିତ କୋଇଲା ଭରଣା କରାଯିବ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜୁଳି ସଙ୍କଟ ଗୁରୁତର ହେବାରେ ଲାଗିଛି । କୋଇଲା ଅଭାବ ଯୋଗୁଁ ମେଟ୍ରୋ ଷ୍ଟେସନ ଏବଂ ହସ୍ପିଟାଲ ସମେତ ଅନେକ ଆବଶ୍ୟକୀୟ ପ୍ରତିଷ୍ଠାନକୁ ୨୪ ଘଣ୍ଟା ବିଜୁଳି ଦେବାରେ ଅକ୍ଷମତା ପ୍ରକାଶ କରିଛନ୍ତି । ସ୍ଥିତି ସମୀକ୍ଷା ପାଇଁ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଜରୁରୀକାଳୀନ ବୈଠକ କରିଥିଲେ । ଦିଲ୍ଲୀର ବିଦ୍ୟୁତ କେନ୍ଦ୍ରଗୁଡିକୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଦେବା ପାଇଁ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ପ୍ଲାଣ୍ଟଗୁଡିକରେ ଆଉ ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ଥିବା ସେ କହିଛନ୍ତି ।

ସେହିପରି ପଞ୍ଜାବରେ ବିଜୁଳି ଚାହିଦା ୮ ହଜାର ମେଗାୱାଟରେ ପହଞ୍ଚି ଯାଇଛି । ଏଠାରେ ସହରରେ ୪ରୁ ୫ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ଉତ୍ତରପ୍ରଦେଶରେ ଗ୍ରାମାଞ୍ଚଳକୁ ମାତ୍ର ୪-୬ ଘଣ୍ଟା ବିଦ୍ୟୁତ ମିଳୁଥିବାବେଳେ ସହରରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି । ବିହାରର ସହରାଞ୍ଚଳରେ ୨ ଘଣ୍ଟା ଏବଂ ଗାଁରେ ୧୦ ଘଣ୍ଟା ବିଦ୍ୟୁତ କାଟ୍ ହେଉଛି।