ଝାଡ଼ଖଣ୍ଡର ୨ ବରିଷ୍ଠ ଅଧିକାରୀଙ୍କ ଘରେ ଇଡ଼ିର ରେଡ୍

1 min read

ରାଞ୍ଚି : ମଦ ଦୁର୍ନୀତି ମାଧ୍ୟମରେ ଅର୍ଥ ହେରଫେର ମାମଲାରେ ଇଡି ମଙ୍ଗଳବାର ସକାଳୁ ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୟ ଚୌବେ ଏବଂ ଏକ୍ସାଇଜ୍ ବିଭାଗର ଯୁଗ୍ମ ସଚିବ ଗଜେନ୍ଦ୍ର ସିଂ ଏବଂ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରିଛି ଇଡି । ଇଡି ଟିମ୍ ଏହି ଦୁଇ ଅଧିକାରୀଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ନିକଟରେ ମଧ୍ୟ ପହଞ୍ଚିଛନ୍ତି । ମଦ ଦୁର୍ନୀତିର ଏହି ଚେର  ଛତିଶଗଡ଼ ସହିତ ଝାଡ଼ଖଣ୍ଡକୁ ଲମ୍ଵିଛି । ଏହା ସହିତ ଛତିଶଗଡ଼ର ଦୁର୍ନୀତି ନିବାରଣ ବ୍ୟୁରୋ ଏବଂ ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଗତ ମାସରେ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରିଥିଲା । ଏଥିରେ ଝାଡ଼ଖଣ୍ଡର ଏକ୍ସାଇଜ୍ ବିଭାଗର ତତ୍କାଳୀନ ସଚିବ ବିନୟ ଚୌବେ ଏବଂ ଯୁଗ୍ମ ସଚିବ ଗଜେନ୍ଦ୍ର ସିଂଙ୍କ ସମେତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଫଆଇଆରରେ କୁହାଯାଇଛି ଯେ, ଏହି ଅଧିକାରୀମାନେ ମିଳିତ ଭାବେ ଝାଡ଼ଖଣ୍ଡର ମଦ ନୀତିର ଅପବ୍ୟବହାର କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି । ACB ଏବଂ EOW ର ଏହି ଏଫଆଇଆର ଆଧାରରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଛତିଶଗଡ଼ର ପୂର୍ବତନ ଆଇଏଏସ୍ ଅଧିକାରୀ ଅନିଲ ଟୁଟେଜା, ବ୍ୟବସାୟୀ ଅନୱର ଧବର, ଛତିଶଗଡ ରାଜ୍ୟ ମାର୍କେଟିଂ କର୍ପୋରେସନର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅରୁଣପତି ତ୍ରିପାଠୀ, ଆଇଏଏସ୍ ଅଧିକାରୀ ଏବଂ ଛତିଶଗଡର ପୂର୍ବତନ ଅବକାରୀ ବିଭାଗ କମିଶନର ନିରଞ୍ଜନ ଦାସ, ଅରବିନ୍ଦ ସିଂ ଏବଂ ନୋଏଡାର ବ୍ୟବସାୟୀ ବିଘୁ ଗୁପ୍ତା ସାମିଲ ଅଛନ୍ତି ।