ଏସ୍‌ସିବିରେ ଆରମ୍ଭ ହେଲା ଏକମୋ ଚିକିତ୍ସା: ଗତକାଲି ଭର୍ତ୍ତି ହୋଇଥିବା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କଟକ: ଏସସିବି ବଡ଼ ମେଡିକାଲରେ ଆରମ୍ଭ ହେଲା ଏକମୋ ଚିକିତ୍ସା । ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧୀନରେ ଏହି ଚିକିତ୍ସା ଆରମ୍ଭ ହୋଇଛି । ଗତକାଲି ଏସସିବି କୋଭିଡ ଆଇସିୟୁରେ ଅତି ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ନିଶ୍ଚିତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକମୋ ୟୁନିଟରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଆରମ୍ଭ କରାଯାଇଛି । ବିଭାଗୀୟ ମୁଖ୍ୟ ତଥା ୟୁନିଟ ହେଡ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧିନରେ ଏହି ଚିକିତ୍ସା ଚାଲିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଅନ୍ନପୂର୍ଣ୍ଣା ଜୁଲାଇ ୧୪ ତାରିଖରୁ କୋଭିଡରେ ଆକ୍ରାନ୍ତ ହୋଇ ଏସସିବିରେ ଚିକିତ୍ସିତ ହୋଇଆସୁଛନ୍ତି । ହେଲେ ବୁଧବାର ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଫୁସଫୁସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ, ଏକମୋ ଚିକିତ୍ସାର ଆବଶ୍ୟକତା ଥିଲା । ଏସସିବି ଏକମୋ ଇଣ୍ଟରନାଲ କମିଟିର ନିଷ୍ପତ୍ତି ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଅନ୍ନପୂର୍ଣ୍ଣାଙ୍କୁ ୟୁନିଟରେ ଭର୍ତ୍ତି କରାଯାଇଥିଲା । ଅନ୍ନପୂର୍ଣ୍ଣାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଏସସିବିର ଡ଼ିନ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧିକ୍ଷକ ଡାକ୍ତର ଲୁସି ଦାସ, ଜରୁରୀ କାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ୯ଟି ଏକମୋ ମେସିନ ବିଶିଷ୍ଟ ଏହି ୟୁନିଟକୁ ଉଦଘାଟନ କରିଥିଲେ । ରାଜ୍ୟବାସୀଙ୍କ ପାଇଁ ଏହି ଚିକିତ୍ସା ସେବା ବ୍ୟୟବହୁଳ ହେବନାହିଁ । ଏହାକୁ ଲକ୍ଷ ରଖି ମୁଖ୍ୟମନ୍ତ୍ରୀ ଏହି ଏକମୋ ସେବାର ଶୁଭାରମ୍ଭ କରିଥିଲେ ।

Leave a Reply