ସେଲଫି ନେଉଥିଲେ ଟାଣିନେଲା ସମୁଦ୍ର ଜୁଆର, ଅଳ୍ପକେ ବଞ୍ଚିଲା ଜୀବନ

ଦୀଘା: ସେଲଫି ନେବା ହେଲା କାଳ, ଟାଣିନେଲା ସମୁଦ୍ର ଜୁଆର । ସୌଭାଗ୍ୟବସତଃ ଅଳ୍ପକେ ବଞ୍ଚିଲା ଜୀବନ । ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ମୋବାଇଲ ଓ ସେଲଫି ନେବା ପଛରେ ଧାଇଁଛନ୍ତି । ସାମାନ୍ୟ ଫଟୋ ଉଠାଇବା ପାଇଁ ଜୀବନକୁ ବାଜିରେ ଲଗାଇବା ପାଇଁ ପଛକୁ ହଟୁନାହାନ୍ତି । ଦୁଃସାହସିକ ଫଟୋ ଉଠାଇବେ ଆଉ ଫେସବୁକରେ ପୋଷ୍ଟ କରିବେ । ଆଉ ତା ପରେ ଲାଇକ୍ ଓ କମେଣ୍ଟ ମିଳିବ । ଏପରି ବିଚାରଧାରା ପାଇଁ ଆଜି ଜଣେ ଯୁବକଙ୍କ ଜୀବନ ଯାଉ ଯାଉ ବଞ୍ଚିଯାଇଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦିଘା ସମୁଦ୍ର ବେଳାଭୂମି ପର୍ଯ୍ୟଟନ ବେଶ୍ ଜଣାଶୁଣା ।

ଲୋକମାନେ ଏଠାକୁ ବୁଲିବା ପାଇଁ ଆସିଥାନ୍ତି । ହେଲେ ବର୍ତ୍ତମାନ ଲଘୁଚାପ କାଣରୁ ସମୁଦ୍ର ଅଶାନ୍ତ ରହିଛି । ଲୋକମାନଙ୍କୁ ସମୁଦ୍ରକୁ ବା ନିକଟକୁ ନଯିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଇଛି । ବାରଣ ସତ୍ତ୍ୱେ କିଛି ଲୋକ ଆଜି ସେଠାକୁ ବୁଲିବାକୁ ଆସିଥିଲେ । ସମୁଦ୍ର ଅଶାନ୍ତ ଥିବାରୁ ସି ୱାଲ ଉପରକୁ ପାଣି ମାଡ଼ ହେଉଥିଲା । ଜଣେ ଯୁବକ ସେଲଫି ନେବା ନିଶାରେ ସି ୱାଲ ଉପରକୁ ଚଢ଼ିଯାଇଥିଲା । ଆଉ ଫଟୋ ଉଠାଇବା ସମୟରେ ସମୁଦ୍ରର ଜୁଆର ତାଙ୍କୁ ଟାଣି ନେଇଥିଲା । ଆଉ ଏହା ପରେ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ଚିତ୍କାର କରି ତାଙ୍କୁ ବଞ୍ଚାଇବା ପାଇଁ ନିବେଦନ କରିଥିଲେ ।

ହେଲେ ସମୁଦ୍ରର ରୂପ ଏତେ ଅଶାନ୍ତ ଥିଲା ଯେ ଦେଖିଲେ ହିଁ ଭୟ ଲାଗୁଥିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଯିବା ତ ଦୂରର କଥା । ପ୍ରାୟ ୪ ମିନିଟ ପାଖାପାଖି ଯୁବକ ଜଣକ ଢେଉ ସହ ସଂଘର୍ଷ କରିଥିଲେ । ଏହାପରେ ଖବର ପାଇ ଡିଜାଷ୍ଟର ମ୍ୟାନେଜମେଣ୍ଟର କର୍ମଚାରୀ ପହଞ୍ଚିଥିଲେ ।  ଏକ ଦଉଡିରେ ଲାଇଫ ଷ୍ଟ୍ରିଫ ବାନ୍ଧି ଜଣେ କର୍ମଚାରୀ ସମୁଦ୍ର ମଧ୍ୟକୁ ଯାଇଥିଲେ । ଲହଡିର ଗତି ଏତେ ବ୍ୟଗ୍ର ଥିଲା ଯେ ଯୁବକ ଜଣକଙ୍କ ପାଖରେ ପହଞ୍ଚିବାକୁ ତାଙ୍କୁ ସମୟ ଲାଗିଥିଲା ।

ଶେଷରେ କର୍ମଚାରୀ ଜଣଙ୍କ ତାଙ୍କୁ ଉଦ୍ଧାର କରିଥିଲେ । ଉପରେ ଥିବା କର୍ମଚାରୀ ଦଉଡି ସହାୟତାରୁ ତାଙ୍କୁ ଟାଣି କୂଳକୁ ଆଣିଥିଲେ  । ସେତବେଳକୁ ଯୁବକଙ୍କ ସ୍ଥିତି ଗମ୍ଭୀର ହୋଇଯାଇଥିଲା । ସଙ୍ଗେସଙ୍ଗେ ନିକଟସ୍ଥ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଛି । ସୂଚନାନୁସାରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା । ତେବେ ମୃତ୍ୟୁ ମୁହଁରୁ ତାଙ୍କୁ କର୍ମଚାରୀମାନେ ବଞ୍ଚାଇଥିବା କାରଣରୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । ସେଲଫି ନେବା ପାଇଁ ନିଜ ଜୀନବକୁ ମୃତ୍ୟୁମୁଖରେ ନପକାଇବା ପାଇଁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।