୧୪୧ ସାଂସଦଙ୍କୁ ସସପେଣ୍ଡ କରିବା ଘଟଣା; ସରକାରଙ୍କୁ ସମାଲୋଚନା କଲେ ସୋନିଆ ଗାନ୍ଧୀ

1 min read

ନୂଆଦିଲ୍ଲୀ: ୧୪୧ ସାଂସଦଙ୍କୁ ସସପେଣ୍ଡ କରିବା ଘଟଣା। ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ। ସେ କହିଛନ୍ତି ସରକାରଙ୍କ ଦ୍ବାରା ଗଣତନ୍ତ୍ରକୁ ଶ୍ବାସରୁଦ୍ଧ କରାଯାଇଛି। ଯୁକ୍ତିଯୁକ୍ତ ଓ ଯଥାର୍ଥ କାରଣକୁ ନେଇ ଦାବି ଉଠାଇବା ସତ୍ତ୍ବେ ସେମାନଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିବସ ଗୁଡିକରୁ ସସପେଣ୍ଡ କରାଯିବା ଦୁର୍ଭାଗ୍ୟଜନକ।

ଏହିଧରଣର ଘଟଣା ଅତୀତରେ କେବେ ଘଟି ନଥିଲା। କଂଗ୍ରେସ ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ସୋନିଆ କହିଛନ୍ତି- ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ।

ଗତ ସପ୍ତାହରେ ଗୃହମନ୍ତ୍ରୀଙ୍କ ବିବୃତି ଦାବି ନେଇ ସଂସଦରେ ସାଂସଦମାନେ ହଟ୍ଟଗୋଳ କରିଥିବାରୁ ବର୍ତ୍ତମାନ ସୁଦ୍ଧା ୧୪୧ ସାଂସଦଙ୍କୁ ସସପେଣ୍ଡ କରାଗଲାଣି। ସସପେଣ୍ଡ ଥିବା ଅବସ୍ଥାରେ ବିଭିନ୍ନ କମିଟି ଲାଗି ସେମାନେ ଭୋଟ ଦେଇପାରିବେ ନାହିଁ। ସସପେଣ୍ଡ କାଳରେ ସେମାନେ କୌଣସି ପ୍ରକାର ଭତ୍ତା ପାଇବେ ନାହିଁ। ସେପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଆସନ୍ତା ୨୨ ତାରିଖରେ ୧୪୧ ଏମପିଙ୍କୁ ସସପେଣ୍ଡ କରାଯିବା ପ୍ରତିବାଦରେ ଦେଶବ୍ୟାପୀ ପ୍ରତିବାଦ କରାଯିବ। ସଂସଦ ଭବନ ବାହାରେ କଂଗ୍ରେସ ସାଂସଦ ମାନେ ଗାନ୍ଧୀ ମୂର୍ତ୍ତି ତଳେ କରିଛନ୍ତି ପ୍ରତିବାଦ। ଅପରପକ୍ଷେ ନିଲମ୍ବନ ପ୍ରତିବାଦରେ ମହାରାଷ୍ଟ୍ରରେ ଏନସିପି କର୍ମୀ କରିଛନ୍ତି ବିକ୍ଷୋଭ।