ରାଜଧାନୀରେ ହୁ-ହୁ ହୋଇ ବ୍ୟାପୁଛି କରୋନା, ସରକାର ଆଣିଲେ ନୂଆ ନିୟମ

1 min read
Mask

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ହୁ-ହୁ ହୋଇ ବଢ଼ିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ସେଥିପାଇଁ ନୂଆ ନୂଆ କୌଶଳ ଆପଣାଯାଉଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ନୂଆ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ସହ ଏହାକୁ କଡ଼ାକଡ଼ି ପାଳନ କରିବା ଉପରେ ଧ୍ୟାନ ଦେଉଛନ୍ତି । ଏମିତିକି ପୂର୍ବରୁ ଯେଉଁସବୁ କଟକଣା କୋହଳ କରାଯାଇଥିଲା ସେସବୁକୁ ପୁଣି କଡ଼ାକଡ଼ି କରାଯାଉଛି । ଖାଲି ସେତିକି ନୁହେଁ ବିବାହ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ନିୟମ କୋହଳ କରାଯାଇଥିବା ବେଳେ ଏବେ ଏଥିରେ କଟକଣା ଲାଗୁ କରାଯାଇଛି । ସେହିଭଳି ମାସ୍କ ପିନ୍ଧିବା ନେଇ ଅଧିକ ଗୁରୁତ୍ୱ ଦେଇଛନ୍ତି ଦିଲ୍ଲୀ ସରକାର । ଏବେ ମାସ୍କ ନ ପିନ୍ଧିଲେ ଦୁଇ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏଥିପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ରାଜ୍ୟପଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରି ସାରିଛନ୍ତି ।

ଏହା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିଓ୍ୱାଲ, ଦିଲ୍ଲୀବାସୀଙ୍କୁ ଘରେ ରହି ଛଟ ପର୍ବ ପାଳନ କରିବା ପାଇଁ ଅପିଲ୍‌ କରିଛନ୍ତି । ଏବଂ କରୋନା ଭଳି ସମ୍ବଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି ନକରିବାକୁ ସେ ନିବେଦନ କରିଛନ୍ତି । କେଜ୍ରିଓ୍ୱାଲ କହିଛନ୍ତି ଯେ, ଏବେ ସମୟ ରାଜନୀତି କରିବାର ନୁହେଁ ବରଂ ସେବା କରିବାର । ଏହି ସମୟରେ ଲୋକଙ୍କ ସେବା କଲେ ଲୋକ ମନେ ରଖିବେ । ଭବିଷ୍ୟତରେ ଲୋକ ମନେ ରଖିବେ ଦିଲ୍ଲୀବାସୀ କିଭଳି କରୋନା ସହ ଲଢ଼େଇ କରିଥିଲେ । ତେବେ ସବୁ ରାଜନୈତିକ ଦଳ କେଜ୍ରିଓ୍ୱାଲଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ସମସ୍ତେ ମିଶି ଲୋକଙ୍କର ସେବା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସର୍ବସାଧାରଣ ସ୍ଥାନରେ ଛଟ୍‌ ପୂଜା ଆୟୋଜନ କରିବା ଉପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସମସ୍ତେ ଚାହାଁନ୍ତି ଛଟ୍‌ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଉ । ହେଲେ ଏଥିପ୍ରତି ଟିକେ ସତର୍କ ରହିବାକୁ ପଡ଼ିବ । କାରଣ ଯଦି ଜଣେ ସଂକ୍ରମିତ ଛଟ ଘାଟରେ ପୂଜା କରିବ ତେବେ ସେଥିରୁ ସମସ୍ତେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ଛଟ ଘାଟର ପାଣି ଦ୍ୱାରା ପୁରା ଦିଲ୍ଲୀବାସୀ କରୋନା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍‌ ଓ ଘରେ ରହି ଛଟ୍‌ ପୂଜା କରିବା ସବୁଠାରୁ ସୁରକ୍ଷିତ ବୋଲି ବୁଝିବା ଉଚିତ୍‌ ।

Leave a Reply