ବାତ୍ୟା କେଉଁଠି ମାଡ଼ ହେବ ? କେମିତି ରହିଛି ପ୍ରଶାସନର ପ୍ରସ୍ତୁତି

1 min read

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ୟାସ୍’ ଧାମରା ଓ ବାଲେଶ୍ୱର ମଧ୍ୟରେ ଭୋର୍ ସମୟର ଅତିକ୍ରମ କରିବାର ଆଶଙ୍କା ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ୫ଟି ଜିଲ୍ଲାରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

Cyclone Yaas, How Odisha Administration Prepared To Tackle Situation

ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ମାସ୍କ ଯୋଗାଇ ଦେବା ସହ ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି । ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣ-ପୂର୍ବଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଅଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ବାତ୍ୟା ଗତି କରୁଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଧାମରାର ଉତ୍ତରରେ ଥିବା ବାହାନଗା, ବାସୁଦେବପୁର ଅଞ୍ଚଳ ଦେଇ ବାତ୍ୟା ଗତି କରିବ । ମୟୂରଭଞ୍ଜ, କେନ୍ଦୁଝର ଦେଇ ବାତ୍ୟା ଝାଡ଼ଖଣ୍ଡ ଯିବ । ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୫୫ କିଲୋମିଟର ରହିବ ।

ଗତକାଲିଠାରୁ ବର୍ଷା ଜାରି ରହିଛି । ସକାଳେ ପବନର ବେଗ ଅଧିକ ରହିବ, ସନ୍ଧ୍ୟାରେ ପବନ କମିବ । ଲ୍ୟାଣ୍ଡଫଲ ପଏଣ୍ଟର ଡାହାଣକୁ ସମୁଦ୍ରରେ ଜୁଆର ୪ ମିଟର ଉଚ୍ଚରେ ଆସିବ । ବାମ ପଟରେ ଜୁଆର ୨ରୁ ୩ ମିଟର ଉଚ୍ଚରେ ଆସିବ । ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଉଛି । ଜୁଆର ଆସିବାକୁ ଥିବା ଅଞ୍ଚଳରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣୁଛୁ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହେବ । ତା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ପ୍ରଭାବ ରହିବ । ଭିତରକନିକା ଓ ପାରାଦୀପ ଅଞ୍ଚଳରେ ପବନର ବେଗ ଅଧିକ ରହିବ ।

ଏଥିସହ ପଢ଼ନ୍ତୁ- ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ୟାସ୍’, ବୁଧବାର ଭୋରରେ ଛୁଇଁପାରେ ଉପକୂଳ

କେନ୍ଦୁଝର, ଆନନ୍ଦପୁର, ଠାକୁରମୁଣ୍ଡା, ହାଟଡିହି ଅଞ୍ଚଳ ଦେଇ ବାତ୍ୟା ଯିବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପିଇବା ପାଣି ଉପରେ ଗୁରୁତ୍ୱ ଦିଆଯାଇଛି । ୩୫୬ଟି ଟ୍ୟାଙ୍କର, ୨୭୦ଟି ମୋବାଇଲ୍ ରିପ୍ୟାରିଂ ୟୁନିଟ୍, ୪୧୧୭ଟି ପାଇପ୍ ୱାଟର ସପ୍ଲାଏ, ୧୭୮୬ଟି ପିଭିସି ଟ୍ୟାଙ୍କ ଦିଆଯାଇଛି । ୭୧୦ଟି ଡିଜି ସେଟ୍ ରଖାଯାଇଛି । ଲୋକଙ୍କୁ ଅନୁରୋଧ କରାଯାଇଛି ଘରେ ପିଇବା ପାଇଁ ୨ରୁ ୩ ଦିନ ପାଇଁ ପାଣି ରଖନ୍ତୁ । ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ୨୬ ହଜାରରୁ ଅଧିକ ଖୁଣ୍ଟି ରଖାଯାଇଛି । ୩ ହଜାର କିଲୋମିଟର ତାର, ୧୨ ଶହ ଟ୍ରାନ୍ସଫର୍ମର ରଖାଯାଇଛି ।

୫୨ଟି ଏନଡିଆରଏଫ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ଟିମ୍, ୮୬ଟି ଜଙ୍ଗଲ ବିଭାଗ ଟ୍ରି କଟର ଟିମ୍ ମୁତୟନ କରାଯାଇଛି । ଏଥିରେ ପ୍ରାୟ ୪ ହଜାର ଲୋକ ଅଛନ୍ତି । ୬ ଶହରୁ ଅଧିକ ଇଞ୍ଜିନିୟର୍ ଟିମ୍ ମଧ୍ୟ ଗଠନ କରାଯାଇଛି । ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି, ଅଧିକ ଅକ୍ସିଜେନ୍ ମହଜୁଦ୍ ରଖାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ।

Cyclone Yaas, How Odisha Administration Prepared To Tackle Situation

ରାଜ୍ୟରେ ବାତ୍ୟା ମୁକାବିଲ୍ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ସରକାର କାର୍ଯ୍ୟ କରୁଛନ୍ତି । ଜନସାଧାରଣ ପ୍ରଶାସନକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Leave a Reply