ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ନେଉଛି ଗଭୀର ଅପବାତର ରୂପ

1 min read

ବ୍ୟୁରୋ ରିପୋର୍ଟ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅବପାତ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ପାରାଦୀପ ଠାରୁ ଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ  ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଏକ ଦୁର୍ବଳ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ବାଂଲାଦେଶ ମୁହାଁ ହେବ। ପ୍ରଭାବରେ ସୋମବାରଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଓଡ଼ିଶା ଉପରେ ନାହିଁ ବଡ ପ୍ରଭାବ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ  ଘନୀଭୂତ ହେବା ପରେ ନେବ ଗଭୀର ଅବପାତର ରୂପ । ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ପୂର୍ବରୁ ବଦଳାଇବ ଦିଗ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍। ୨୬ ତାରିଖରେ ଛୁଇଁବ ସ୍ଥଳଭାଗ । ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ କରିବ ଗତି । ସ୍ଥଳଭାଗ ଠାରୁ ଦେଢ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଯିବ ବାତ୍ୟା । ପ୍ରଭାବରେ କାଲିଠୁ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ବହିବ ୬୦ ରୁ ୭୦ କିମି ବେଗରେ ପବନ। ସମୁଦ୍ର ଅଶାନ୍ତ  ରହୁଥିବାରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ଅକ୍ଟୋବର ମାସ ହୋଇଥିବାରୁ ବାତ୍ୟା ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି।

ଅବପାତ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରରେ ଦଶହରା ସାମାନ୍ୟ ଫିକା ପଡିପାରେ । କିନ୍ତୁ ତୋରଣ ପ୍ରତି ବିପଦ ନଥିବା ପାଣିପାଗ କେନ୍ଦ୍ର କହିଛି । ୨୪ ଓ ୨୫ରେ ସର୍ବାଧିକ ରହିବ ବାତ୍ୟାର ପ୍ରଭାବ । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଲରେ କଟାହୋଇ ପଡିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।