Cyclone Tauktae News: ଗୋଆ ଉପକୂଳରେ ମାଡ଼ ହେଲା ତୌକତେ, କର୍ଣ୍ଣାଟକରେ ୪ ମୃତ

1 min read

ପାଣଜୀ: ବାତ୍ୟା ତୌକତେ ଗୋଆ ଉପକୂଳରେ ମାଡ ହୋଇଛି । ପାଣଜୀରେ ଏବେ ତୌକତେ ତା’ର ପ୍ରଭାବ ଦେଖାଉଛି । ଏହା ପ୍ରଭାବରେ ପାଣଜୀ ଓ ରାଜ୍ୟର ଅନେକ ଉପକୂଳବର୍ତ୍ତି ଅଂଚଳରେ ଭୀଷଣ ବର୍ଷା ହେଉଛି । ତୌକତେ ଆଗକୁ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ଥିବାରୁ ଗୁଜୁରାଟର ଉପକୂଳବର୍ତ୍ତି ଅଂଚଳକୁ ଆଲର୍ଟରେ ରଖାଯାଇଛି । ରବିବାର ଦିନ ତୌକତେ ମୁମ୍ବାଇ ଦେଇ ଯିବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ଶନିବାର ଦିନ ହିଁ ଅନେକ କୋଭିଡ୍ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ କର୍ଣ୍ଣଟକରେ ତୌକତେ କାରଣରୁ ୪ ଜୀବନ ଯାଇଛି । କର୍ଣ୍ଣାଟକର ମୋଟ ୭୪ଟି ଗାଁ ତୌକତେ ଦ୍ୱାରା ପ୍ରଭାବିତ ହୋଇଛି ।

ଗୁଜୁରାଟରେ ତୌକତେର ମୁକାବିଲା ପାଇଁ ଏନଡିଆରଏଫକୁ ମୁତ୍ତୟନ କରାଯାଇଛି । ଏନଡିଆରଏଫର ୨୪ ଟିମ୍ ସଂଧ୍ୟା ସୁଧା ବାତ୍ୟ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳରେ ମୁତୟନ ହୋଇଯିବେ ବୋଲି ଜଣା ପଡିଛି ।

ଏହି ୨୪ ଟିମ୍ ମଧ୍ୟରୁ ୧୩ଟି ଟିମ୍ ବାହାରୁ ଆସିଛି । ଓଡ଼ିଶାରୁ ମଧ୍ୟ ଏନଡିଆରଏଫର ଗୋଟିଏ ଟିମ୍ ଗୁଜୁରାଟ୍ ଯାଇଛି ।


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୌକତେ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ଶନିବାର ଦିନ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସୀଙ୍କ ସହିତ ଆଲୋଚନା କରିଥିଲେ ।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ ସେ ଆଦେଶ ଦେଇଥିଲେ । ଏହାସହିତ ବିଦ୍ୟୁତ,ଫୋନ୍,ସ୍ୱାସ୍ଥ୍ୟ ,ପାନୀୟ ଜଳ ଭଳି ଜରୁରୀ ସେବା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

 

ତୌକତେ ପ୍ରଭାବରୁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଏୟାର ଭିସ୍ତାରା ଅନୁସାରେ ୧୭ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ, କୋଚ୍ଚି, ଥିରୁଭଅନନ୍ତପୁରମ, ବେଙ୍ଗାଲୁରୁ, ପୁଣେ, ଗୋଆ ଓ ଅହମ୍ମଦାବାଦକୁ ବିମାନ ଚଳାଚଳ ବନ୍ଦ ରହିବ ।

Leave a Reply