ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ୨ ତାରିଖ ବେଳକୁ ଲଘୁଚାପ ଅବପାତର ରୂପ ନେବ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ । ୩ ତାରିଖରୁ ଉପକୂଳରେ ହେବ ବର୍ଷା ।

ଲଘୁଚାପ ପ୍ରଭାବରେ ଆସନ୍ତା ୨ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ୪ ତାରିଖ ବେଳକୁ ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷ ଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

ବର୍ଷା ଛାଡ଼ି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ ।

ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରିବାକୁ କୁହାଯାଇଛି ।

Leave a Reply