ଗୁଜୁରାଣ ମେଣ୍ଟାଇବାକୁ ରାସ୍ତା କଡ଼ରେ ବିକୁଥିଲେ ଗୁପ୍‌ଚୁପ୍‌ , ଆଜି କୋଟିପତି କ୍ରିକେଟର

ମୁମ୍ୱାଇ: ପ୍ରତିଭା କେବେ ଲୁଚି ରହିପାରେନି । ସୁଯୋଗ ମିଳିଲେ ରସାତଳରୁ ଦୀପ୍ତିମାନ ହୋଇ ବାହାରିଉଠେ । ଏହିକଥା ପୁଣି ଥରେ ପ୍ରମାଣିତ ହୋଇଛି କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ କ୍ଷେତ୍ରରେ । ଯଶସ୍ୱୀ ଦିନେ ଗୁଜୁରାଣ ମେଣ୍ଟାଇବାକୁ ମୁମ୍ବାଇର ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକୁଥିଲେ । ଆଜି ଯୁବ ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ ହୋଇପାରିଛନ୍ତି ।

ଆସନ୍ତାବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଯୁବ ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରିବେ । କେବଳ ସେତିକି ନୁହେଁ, ଆଇପିଏଲ୍‌ରେ ବି ତାଙ୍କ ବ୍ୟାଟିଂ ଚମକ ଦେଖିବାକୁ ମିଳିପାରେ । ଏହି ଯୁବ ଖେଳାଳିଙ୍କୁ ୨.୪କୋଟିରେ କିଣିଛି ରାଜସ୍ଥାନ ରୟାଲସ୍‌ ଦଳ ।

୧୭ ବର୍ଷୀୟ ଉଦୀୟମାନ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ । ଘର ଉତ୍ତର ପ୍ରଦେଶ ଭଦୋହି ଜିଲ୍ଲାର ସୁରିଆ ଗାଁ । ୧୧ ବର୍ଷ ବୟସରେ ଉତ୍ତର ପ୍ରଦେଶରୁ ଚାଲିଆସିଥିଲେ ମୁମ୍ବାଇ । ଲକ୍ଷ୍ୟ ଥିଲା ବଡ଼ କ୍ରିକେଟର ହେବା । ମୁମ୍ବାଇରେ ରହିବାକୁ ଘର ନଥିଲା, ପେଟ ପାଇଁ ଖାଦ୍ୟ ନଥିଲା । ଏଥିପାଇଁ ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଓ ଫଳ ବିକିବାକୁ ପଡ଼ିଥିଲା । ଏସବୁ ଭିତରେ କ୍ରିକେଟ ଠାରୁ ଦୂରେଇ ଯାଇନଥିଲେ ସେ । ଖାଦ୍ୟ ଓ ରହିବା ପାଇଁ ସଂଘର୍ଷ ଭିତରେ ମୁସଲିମ ୟୁନାଇଟେଡ୍‌ ସେ୍ପାର୍ଟସ କ୍ଲବ ଗ୍ରାଉଣ୍ଡ ତାଙ୍କୁ ଦେଇଥିଲା ଆଶ୍ରୟ । ୩ ବର୍ଷ ଧରି ଟେଣ୍ଟ ହିଁ ଥିଲା ତାଙ୍କ ଘର । ଏହି ଟେଣ୍ଟର ଅନେକ ସମସ୍ୟା ଭିତରେ ତାଙ୍କ ପ୍ରତିଭାର ନବୋଦୟ ହୋଇଥିଲା ।

ଥରେ ସୁଯୋଗଟିଏ ଜୁଟିଗଲା । ପ୍ରଥମ ସୁଯୋଗରେ ସେ ନିଜ ଦକ୍ଷତା ଦେଖାଇଦେଲେ । ପ୍ରଶିକ୍ଷକ ସେହି ପ୍ରଥମ ପରୀକ୍ଷାରୁ ଜାଣିଗଲେ ତାଙ୍କ ପ୍ରତିଭା ସମ୍ପର୍କରେ । ଜଣେ ନୀତିନିଷ୍ଠ ଛାତ୍ର ଭାବେ ଗୁରୁଙ୍କ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ  ହେଲେ ଯଶସ୍ୱୀ । କ୍ରିକେଟ ପ୍ରତି ସେ ଥିଲେ ପୂର୍ଣ୍ଣ ସମର୍ପିତ । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ସେ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ । ୨୦୧୫ରେ ବିଦ୍ୟାଳୟସ୍ତରୀୟ ଗାଇଲ୍ସ ସିଲ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେ ପ୍ରତିଭା ଦେଖାଇଥିଲେ ।

୩୧୯ ରନ୍‌ର ଅପରାଜିତ ସ୍କୋର୍‌ ସହ ୯୯ ରନ୍‌ରେ ୧୩ଟି ଓ୍ୱିକେଟ ନେଇ ସଭିଙ୍କ ନଜରକୁ ଆସିଥିଲେ । ମୁମ୍ବାଇ ପାଇଁ ବିଜୟ ହଜାରେ ଟ୍ରଫିରେ ଖେଳିବା ସୁଯୋଗ ପାଇଥିଲେ । ୧୫୪ ବଲରୁ ୨୦୩ ରନ୍‌ କରିଥିଲେ ଯେଉଁଥିରେ ୧୨ ଛକା ଓ ୧୭ ଚୌକା ରହିଥିଲା । ଘରୋଇ କ୍ରିକେଟରେ ଦୃଢ଼ ପ୍ରଦର୍ଶନ ପରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ଜଣେ ଅଲରାଉଣ୍ଡର ଭାବେ ତାଙ୍କୁ ସ୍ଥାନ ମିଳିଛି ।

ବିଶ୍ୱକପ୍‌ରେ ନିଜ ପ୍ରତିଭା ଦେଖାଇବା ପୂର୍ବରୁ ତାଙ୍କୁ ଆଉ ଏକ ବଡ଼ ସୁଯୋଗ ମିଳିଛି । ସଦ୍ୟ ଶେଷ ହୋଇଥିବା ଆଇପିଏଲ୍‌ ନିଲାମରେ ତାଙ୍କୁ କିଣିଛି ରାଜସ୍ଥାନ ରୟାଲସ ଦଳ । ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଥିବା ବେଳେ ୨.୪୦ କୋଟିରେ କିଣିଛି ରାଜସ୍ଥାନ । ତାଙ୍କୁ ନେବାକୁ ମୁମ୍ବାଇ ଇଣ୍ଡିଆନ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟ ଆଗ୍ରହୀ ଥିଲେ । ମାତ୍ର ସମସ୍ତଙ୍କୁ ପଛରେ ପକାଇ ଦେଇଥିଲା ରାଜସ୍ଥାନ ରୟାଲ୍ସ ।

Leave a Reply