ଅଭିଯୁକ୍ତଙ୍କୁ ବସ ଉଠ କରାଇବା ସହିତ ନାକ ରଗଡ଼ାଇଲା ପୋଲିସ

ଇନ୍ଦୋର: ଇନ୍ଦୋର ପୋଲିସ ଅଭିଯୁକ୍ତକୁ ଜେଲ ପଠାଇବା ସହିତ ସମାଜ ସାମ୍ନାରେ ସେମାନଙ୍କୁ ଅପମାନିତ କରିବାରେ କୌଣସି ସୁଯୋଗ ହାତଛଡ଼ା କରେ ନାହିଁ । ଗତକାଲି ରାତିରେ ଛୁରୀ ଦେଖାଇ ଗୁଣ୍ଡାଗର୍ଦ୍ଦି କରିଥିବା କିଛି ଅଭିଯୁକ୍ତଙ୍କୁ ମଜା ଚଖାଇଛି ଇନ୍ଦୋର ପୋଲିସ । ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ସେହି ଅଞ୍ଚଳରେ କାନ ଧରାଇ ବସ ଉଠ କରାଇଛି ଯେଉଁ ଅଞ୍ଚଳରେ ସେମାନେ ଏଭଳି ଗୁଣ୍ଡାଗର୍ଦ୍ଦି କରୁଥିଲେ । ଖବର ଅନୁସାରେ ଘଟଣାଟି ଇନ୍ଦୋରର ଦ୍ୱାରକାପୁରୀର ।

ବସ ଉଠ କରାଇବା ସହିତ ପୋଲିସ ସେଠାକାର ଲୋକଙ୍କ ସାମ୍ନାରେ ଅଭିଯୁକ୍ତଙ୍କୁ ନାକ ରଗଡ଼ିବାକୁ କହିଲା । ଯାହାପରେ ଦୁଇ ଅଭିଯୁକ୍ତ ନାକ ରଗଡ଼ିବା ସହିତ କ୍ଷମା ମଧ୍ୟ ମାଗିଲେ। ଏଭଳି ଦୃଶ୍ୟ ଦେଖିବା ପରେ ଖୁସିକୁ ଅଟକାଇ ପାରିଲେନି ସେଠାକାର ବାସିନ୍ଦା । ଘର ବାଲକୋନି ଆଉ ଛାତ ଉପରେ ଛିଡ଼ା ହୋଇ ତାଳି ମାରିବାକୁ ଲାଗିଲେ । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ପୁଣିଥରେ ଏଭଳି ନିନ୍ଦନୀୟ କାମ କରିବେ ନାହିଁ ବୋଲି କହିଛନ୍ତି ଦୁଇ ଅଭିଯୁକ୍ତ । ତେବେ ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ଦେଇ ଥିବାରୁ ଇନ୍ଦୋର ପୋଲିସର ଖୁବ ପ୍ରଶଂସା କଲେ ସେଠାକାର ଅଧିବାସୀ । ସେଠାକାର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ଲୁଟ୍ କରିବା ଉଦ୍ଦେଶ୍ୟରେ ସେହି ଦୁଇ ଜଣ ଜଣେ କାର ଚାଳକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ପୋଲିସ ଜାଣିବା ପରେ ସୋମନଙ୍କୁ ଏଭଳି ମଜା ଚଖାଇଛି । ଏହା ସହିତ ଉଭୟଙ୍କୁ ଜେଲ ପଠାଇ ଦେଇଛି ।

Leave a Reply