ଅଲମ୍ପିକ୍ସରେ କେବେ ଖେଳ ହୋଇଥିଲା କ୍ରିକେଟ୍ ?

1 min read

ଯଦି ସବୁକିଛି ଠିକ୍ ଚାଲେ ଓ ICCର ଉଦ୍ୟମ ସଫଳ ହୁଏ ତେବେ ଲସ ଏଞ୍ଜଲସ ଅଲମ୍ପିକ୍ସରେ ଚୌକା ଛକା ପଡିବ । ଆଉ ବିରାଟ, ସାର୍ ଜାଡେଜା ଯଦି ରିଟାୟରମେଣ୍ଟ ନେଇ ନଥିବେ ତେବେ ସେମାନଙ୍କୁ ଅଲମ୍ପିକ୍ସ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ଆଇସିସି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ଏହି ଖବର ଶୁଣି ଭାରତୀୟଙ୍କ ମନ ଚୌକା, ଛକା ମାରିବଣି । କାରଣ କ୍ରିକେଟର ଗୋଟିଏ ପଦକ ପକ୍କା ହୋଇଯିବ । ତେବେ ଆପଣ କ’ଣ ଜାଣିଛନ୍ତି ଯେ, ଗୋଟିଏ ସମୟରେ ଅଲମ୍ପିକ୍ସରେ ମଧ୍ୟ କ୍ରିକେଟ୍ ସାମିଲ ଥିଲା ?

ଅଲମ୍ପିକ୍ସରେ କ୍ରିକେଟ୍
ଅଲମ୍ପିକ୍ସରେ ଏବା କ୍ରିକେଟ୍ ଖେଳା ଯାଉନାହିଁ । କିନ୍ତୁ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ୧୮୯୬ର ପ୍ରଥମ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । କିନ୍ତୁ କ୍ରିକେଟ୍ ସହିତ ‘ଖେଲା’ ହୋଇ ଯାଇଥିଲା । ଅଲମ୍ପିକ୍ସ ତାଲିକାରେ କ୍ରିକେଟ୍ ତ’ ଥିଲା କିନ୍ତୁ ଖେଳିବାକୁ ଟିମ୍ ନଥିଲେ । ତେଣୁ ବାଧ୍ୟ ହୋଇ ଆୟୋଜକ କ୍ରିକେଟ ମ୍ୟାଚ୍ ବାତିଲ କରିଥିଲେ ।

ଏହା ପରେ ଆସିଥିଲା ୧୯୦୦ ମସିହାର ପ୍ୟାରିସ୍ ଅଲମ୍ପିକ୍ସ । ପ୍ୟାରିସ ମାନେ ଫ୍ରାନ୍ସ । ଆଉ ଏହି ଅଲମ୍ପିକ୍ସରେ କ୍ରିକେଟ୍ ମ୍ୟାଚ୍ ହୋଇଥିଲା । ଏଠି କହି ରଖୁଛୁ ଯେ, ପ୍ୟାରିସ ଅଲମ୍ପିକ୍ସରେ ମୋଟ ୧୯ ବିଭାଗରେ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରୁ ଗୋଟିଏ ଥିଲା କ୍ରିକେଟ୍ ।

କେତେ ଟିମ୍ ଭାଗ ନେଇଥିଲେ ?
ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ ୪ଟି ଦେଶ ନାମ ଦେଇଥିଲେ । ଏହି ୪ ଦେଶ ଥିଲେ ନେଦରଲ୍ୟାଣ୍ଡ, ବେଲଜିୟମ, ବ୍ରିଟେନ୍ ଓ ଫ୍ରାନ୍ସ । ଆପଣ ନାମ ତାଲିକା ପଢି ଆଶ୍ଚର୍ଯ୍ୟ ହେଉଥିବେ । କାରଣ ଏହି ତାଲିକାରେ ଯେଉଁ ନାମ ସବୁ ଅଛି ତାହା ମଧ୍ୟରୁ କିଛି ଦେଶରେ ଏବେ କ୍ରିକେଟ୍ ଖେଳା ଯାଉଥିବା କଥା ଆପଣଙ୍କ କାନରେ ପଡ଼ିନଥିବ । କିନ୍ତୁ ଏହା ସତ । ସେତେବେଳେ ବେଲଜିୟମ, ନେଦରଲ୍ୟାଣ୍ଡ୍ ଓ ଫ୍ରାନ୍ସ ଭଳି ଦେଶ ନିଜ କ୍ରିକେଟ୍ ଟିମକୁ ଅଲମ୍ପିକ୍ସ ଖେଳିବାକୁ ପଠାଇଥିଲେ । କିନ୍ତୁ ଅଲମ୍ପିକ୍ସର ଦ୍ୱିତୀୟ ଏଡିସନରେ କ୍ରିକେଟ୍ ସହିତ ପୁଣି ଗୋଟିଏ କାଣ୍ଡ ଘଟିଥିଲା । ପ୍ରଥମ ଅଲମ୍ପିକ୍ସ ଖେଳିବାକୁ କୌଣସି କ୍ରିକେଟ୍ ଟିମ୍ ଯାଇନଥିଲେ, ଆଉ ଦ୍ୱିତୀୟ ଅଲମ୍ପିକ୍ସର ମୁକାବିଲା ଆରମ୍ଭର ଠିକ୍ ପୂର୍ବରୁ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ କହିଲେ ଆମେ ଖେଳିବୁନି । ଏବେ ପ୍ରତିଯୋଗୀତାରେ ଦୁଇଟି ଦଳ ଥିଲେ । ଫ୍ରାନ୍ସ ଓ ଇଂଲଣ୍ଡ । ଏହି ଦୁଇ ଦଳ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳ ହୋଇଥିଲା ଓ ଆୟୋଜକ ଏହି ଗୋଟିଏ ମ୍ୟାଚକୁ ହିଁ ଫାଇନାଲ ବୋଲି ଘୋଷଣା କରିଦେଲେ । ମାନେ ଲିଗ୍ ମ୍ୟାଚ୍ ଯୋଉଦିନ ଆରମ୍ଭ ହେଲା ସେହିଦିନ ଫାଇନାଲ ବି ଫାଇନାଲ ହେଇଗଲା ।

Cricket Was Played in 1900 Paris Olympics

ଏହି ମ୍ୟାଚ୍ ଦୁଇ ଦିନ ଧରି ଖେଳାଯାଇଥିଲା । କାରଣ ସେତେବେଳେ ୱାନଡେ ଫର୍ମାଟ୍ ଆସିନଥିଲା, ତେଣୁ ଟେଷ୍ଟ୍ କ୍ରିକେଟକୁ ଦୁଇ ଦିନିଆ କରି ଖେଳା ଯାଇଥିଲା । ଏବଂ ପ୍ରତି ଟିମରେ ଥିଲେ ୧୨ ଜଣ ଖେଳାଳି । ଟାଇପ୍ ମିଷ୍ଟେକ୍ ନୁହେଁ ଆପଣ ଠିକ୍ ପଢୁଛନ୍ତି ପ୍ରତିଦଳରେ ୧୧ ବଦଳରେ ୧୨ ଜଣ ଖେଳାଳି ଥିଲେ । ଯେଉଁଦିନ ମଙ୍ଗନ ସେଇଦିନ ବାହାଘର ଭଳି ହୋଇଥିବା ଏହି ଫାଇନାଲ ମ୍ୟାଚରେ ଇଂଲଣ୍ଡ ଜିତିଥିଲା । କିନ୍ତୁ ସ୍ୱର୍ଣ୍ଣ ପଦକ ବଦଳରେ ପାଇଥିଲା ରୌପ୍ୟ ଓ ଫ୍ରାନ୍ସ ପାଇଥିଲା ବ୍ରୋଞ୍ଜ ।

ଦୁଇ ଦେଶର ଟିମ୍ ଜାଣିନଥିଲେ ସେମାନେ ଅଲମ୍ପିକ୍ସ ଖେଳୁଛନ୍ତି !
ଏବେ ସବୁଠାରୁ ରୋଚକ କଥା । ଅଲମ୍ପିକ୍ସ ଖେଳୁଥିବା ଏହି ଦୁଇ କ୍ରିକେଟ୍ ଟିମ୍ ଜାଣିନଥିଲେ ଯେ, ସେମାନେ ଅଲମ୍ପିକ୍ସ ଖେଳୁଛନ୍ତି । କଥା ହେଲା ବ୍ରିଟେନ୍ ତା’ର ଜାତୀୟ ଦଳକୁ ଫ୍ରାନ୍ସ ନପଠାଇ କ୍ଲବ ସ୍ତରୀୟ ଦଳକୁ ପଠାଇଥିଲା । ଦୁଇ ଦଳ ଭାବୁଥିଲେ ଯେ, ସେମାନେ ବିଶ୍ୱ ବାଣିଜ୍ୟ ମେଳା ଅବସରରେ ଆୟୋଜିତ ମ୍ୟାଚ୍ ଖେଲୁଛନ୍ତି । କାରଣ ଅଲମ୍ପିକ୍ସ ବେଳେ ହିଁ ପ୍ୟାରିସ ବାଣିଜ୍ୟ ମେଳା ଚାଲୁଥିଲା । ତେବେ ଏହି ମ୍ୟାଚ ଖେଳାଯିବାର ୧୨ ବର୍ଷ ପରେ ଅଲମ୍ପିକ୍ସର ଆଧିକାରିକ ତଥ୍ୟରେ କ୍ରିକେଟ୍ ମ୍ୟାଚକୁ ସାମିଲ କରାଯାଇଥିଲା । ଆଉ ସେତେବେଳେ ଇଂଲଣ୍ଡକୁ ପୁଣିଥରେ ରୌପ୍ୟ ବଦଳରେ ସ୍ୱର୍ଣ୍ଣ ଓ ଫ୍ରାନ୍ସକୁ ରୌପ୍ୟ ମିଳିଥିଲା ।

ପ୍ୟାରିସ୍ ଅଲମ୍ପିକ୍ସ କାଳରେ ହିଁ ପରବର୍ତ୍ତି ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପୁଣି କ୍ରିକେଟ୍ ସହିତ କାଣ୍ଡ ଘଟିଥିଲା । ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ କୌଣସି ଟିମ୍ ମିଳିନଥିଲେ । ଫଳରେ କ୍ରିକେଟ ମ୍ୟାଚ୍ ବାତିଲ ହୋଇଥିଲା । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଅଲମ୍ପିକ୍ସର ଦୁଆର ମାଡିନି କ୍ରିକେଟ୍ । ୨୦୨୮ରେ ଯଦି ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହୁଏ ତେବେ ଚତୁର୍ଥ ଥର ପାଇଁ ଏମିତି ହେବ । ଅବଶ୍ୟ ଆଗରୁ ତିନିଥର କ୍ରିକେଟ୍ ଅଲମ୍ପିକ୍ସରେ ସାମିଲ ହୋଇଥିଲେ ମଧ୍ୟ ମାତ୍ର ଥରେ କ୍ରିକେଟ୍ ମ୍ୟାଚ୍ ହୋଇ ପାରିଛି । ଏବେ ପ୍ରଶ୍ନ ହେଉଛି ଯଦି ବି ୨୦୨୮ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହୁଏ ତେବେ କ୍ରିକେଟ୍ ଖେଳୁଥିବା ସବୁ ଦେଶ ନିଜର ଜାତୀୟ ଦଳକୁ ପଠାଇବେ ନା କ୍ରିକେଟ୍ ବୋର୍ଡ ସବୁ ଟଙ୍କା ଚକ୍କରରେ ପଡି ବି’ ଟିମକୁ ପଠାଇବେ ? ଅବଶ୍ୟ ଏହାର ଉତ୍ତର ଭବିଷ୍ୟତ ଦେବ..

Leave a Reply