କ୍ରେଡିଟ କାର୍ଡ ଠକ: ଅନ୍ୟ ନାଁରେ କାର୍ଡ କରି ଠକିଛି କୋଟି କୋଟି ଟଙ୍କା, ମାଷ୍ଟରମାଇଣ୍ଡ ସହ ୬ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ କୋଟିପତି କ୍ରେଡିଟ କାର୍ଡ ଠକ । ଅନ୍ୟ ଲୋକ ନାଁରେ କ୍ରେଡିଟ କାର୍ଡ କରି ଠକିଛି କୋଟି କୋଟି ଟଙ୍କା । ଟାର୍ଗେଟରେ ଥିଲେ ବଡ କର୍ପୋରେଟ୍ ହସ୍ପିଟାଲ । ସାମଲ ଥିଲେ ହସ୍ପିଟାଲ ବିଲିଂ ଏଜେଣ୍ଟ ଓ ବ୍ୟାଙ୍କ କର୍ମଚାରୀ । ଏହି କ୍ରେଡିଟ କାର୍ଡ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ପିପିଲିର ବିଜୁ ତ୍ରିପାଠୀ ସହ ୬ ଜଣଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । କ୍ରେଡିଟ କାର୍ଡ ମାଧ୍ୟମରେ ପାଖାପାଖି ୭ରୁ ୮ କୋଟି ଟଙ୍କା ଠକେଇ ହୋଇଥିବା ପୋଲିସ ଜାଣିବାକୁ ପାଇଛି ।

ପିପିଲିର ବିଜୁ ତ୍ରିପାଠୀଙ୍କ ପାଖରେ ମାଳମାଳ କ୍ରେଡିଟ୍ ଓ ଡେଭିଡ୍ କାର୍ଡ । ବଣ୍ଡଲ ବଣ୍ଡଲ ଟଙ୍କା । ଥାକ ଥାକ ପାସବୁକ୍, ଶହ ଶହ ଚେକ୍ ବୁକ୍ । ପୁଞ୍ଜା ପୁଞ୍ଜା ମୋବାଇଲ, ଧାଡିରେ ଥୁଆ ହୋଇଛି ସ୍ବାଇପ୍ ମେସିନ । ଟାର୍ଗେଟରେ ଥିଲା ଭୁବନେଶ୍ବରର ବଡ କର୍ପୋରେଟ୍ ହସ୍ପିଟାଲ । ସାଥ୍ ଦେଉଥିଲେ ହସ୍ପିଟାଲର ବିଲିଂ ଏଜେଣ୍ଟ । କାର୍ଡ ସ୍ବାଇପ୍ କରି ଠକକୁ ଦେଉଥିଲେ ହାର୍ଡ କ୍ୟାସ୍ । ଡମଣା ପରିବା ମାର୍କେଟରେ ସୁଧ ଲାଗୁଥିଲା ଠକେଇ ଟଙ୍କା । କମିଶନ ଦେଉଥିଲା ଅଭିଯୁକ୍ତ । ଅନ୍ୟ ନାଁରେ କାର୍ଡ ପାଇଁ ତଥ୍ୟ ଦେଉଥିଲେ ବ୍ୟାଙ୍କ କର୍ମଚାରୀ । ସକାଳେ ନେଉଥିଲେ ବ୍ୟବସାୟୀ, ସନ୍ଧ୍ୟାରେ ଫେରାଉଥିଲେ ସୁଧ ସହ ମୂଳଧନ ।

ଭୁବନେଶ୍ବର ରାକେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏଭଳି ଏକ ବଡ ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବିଜୁ ତ୍ରିପାଠୀ, ପ୍ରସନ୍ନଜିତ ଦାସ, ପ୍ରଦୀପ ସାମନ୍ତରାୟ, ମୁକେଶ ମନ୍ତ୍ରୀ, ଅବଦୁଲ ରେହେମାନ ଓ ରାଜେଶ ଦାଶ । ସେମାନଙ୍କଠାରୁ ୭ ଲକ୍ଷ ୭ ହଜାର ଟଙ୍କା, ୪୫୦ଟି କ୍ରେଡିଟ୍ କାର୍ଡ, ଶହ ଶହ ପାସବୁକ୍, ଚେକବୁକ୍, ୬ଟି ମୋବାଇଲ ଓ ୬ଟି ସ୍ବାଇପ୍ ମେସିନ୍ ଜବତ ହୋଇଛି ।

ଅସୁବିଧାରେ ପଡିଥିବା ଲୋକଙ୍କୁ ଟଙ୍କା ସାହାଯ୍ୟ କରିବାକୁ କହି ତାଙ୍କ ନାଁରେ କ୍ରେଡିଟ କାର୍ଡ କରୁଥିଲା ଅଭିଯୁକ୍ତ । ଅନ୍ୟର ଆଧାର କାର୍ଡକୁ ଏଡିଟ୍ କରି ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଫେକ୍ ତଥ୍ୟରେ ବି କ୍ରେଡିଟ କାର୍ଡ କରୁଥିଲା । ପରେ ଏହାକୁ ବ୍ୟବହାର କରି ଟଙ୍କା ଉଠାଇବାକୁ ବଡ କର୍ପୋରେଟ୍ ହସ୍ପିଟାଲକୁ ଟାର୍ଗେଟ କରିଥିଲା ବିଜୁ ।

ଏହି ଠକେଇର ପରିମାଣ ୭ରୁ ୮ କୋଟି ହେବ ବୋଲି ପୋଲିସ ସନ୍ଦେହ କରୁଛି । ସେମାନେ ଆଉ କେତେ ଟଙ୍କା କାହା କାହା ନାଁରେ ଠକେଇ କରିଛନ୍ତି ସେ ନେଇ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଖୋଳତାଡ୍ କରିବ ସାଇବର ଥାନା ।