ଆଇନ ଆଇନାରେ ଓଡ଼ିଶାର ରେକର୍ଡ, ଜାଣନ୍ତୁ ପୂରା ଖବର

1 min read

କଟକ: ଓଡ଼ିଶା ଆଇନ ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ଦେଶରେ ଏକ ନୂଆ ରେକର୍ଡର ଭାଗିଦାରୀ ହେଲା ଓଡ଼ିଶା । ରାଜ୍ୟର ଅଦାଲତମାନଙ୍କରେ ବ୍ୟାପକ ସଂଖ୍ୟକ ବିଚାରପତି ଓ କର୍ମଚାରୀଙ୍କ ଅଭାବ ସତ୍ତ୍ବେ କେସ୍‌ କ୍ଲିୟରାନ୍ସ ହାରରେ ଓଡ଼ିଶାର ସ୍ଥାନ ସର୍ବାଗ୍ରେ । ଦେଶର ବିଭିନ୍ନ ହାଇକୋର୍ଟ ଓ ଅନ୍ୟାନ୍ୟ କୋର୍ଟରେ ଲକ୍ଷ ଲକ୍ଷ ମାମଲା ବିଚାରାଧିନ ଥିବା ବେଳେ ଓଡ଼ିଶାକୁ ମିଳିଛି ଟପ୍ ପୋଜିସନ୍ । ଟାଟା ଟ୍ରଷ୍ଟ ଦ୍ବାରା ପ୍ରକାଶିତ ଇଣ୍ଡିଆ ଜଷ୍ଟିସ ରିପୋର୍ଟ-୨୦୧୯ର ତଥ୍ୟ ଅନୁସାରେ ଓଡ଼ିଶାକୁ ମିଳିଛି ଏ ଗୌରବ ।ଓଡ଼ିଶା ହାଇକୋର୍ଟ
୨୦୧୨ରୁ ୨୦୧୭ ମସିହା ଭିତରେ ଓଡ଼ିଶାର ଅଦାଲତମାନଙ୍କରେ କେସ୍‌ କ୍ଲିୟରାନ୍ସ ହାର ରହିଛି ୧୦୬ ପ୍ରତିଶତ । ଯାହାକି ସାରା ଦେଶରେ ସର୍ବାଧିକ । କେବଳ ଓଡ଼ିଶା ହାଇକୋର୍ଟରେ ଏହି ପାଞ୍ଚ ବର୍ଷରେ ୪ ଦଶମିକ ୭୫ ପ୍ରତିଶତ ଅଗ୍ରଗତି ହୋଇଛି । ଅନ୍ୟପଟେ ରାଜ୍ୟର ଅନ୍ୟାନ୍ୟ ଅଦାଲତ ଏହି ମାମଲା ଖଲାସ ହାରରେ ୪ ଦଶମିକ ୧୯ ପ୍ରତିଶତ ଉନ୍ନତି ଆଣିଛନ୍ତି । କିନ୍ତୁ ଏହି ପଏଣ୍ଟରେ ଗୁଜୁରାଟ ପରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ । ଗୁଜୁରାଟର ବିଭିନ୍ନ କୋର୍ଟରେ ଏହି ଅଗ୍ରଗତି ହାର ୬ ଦଶମିକ ୧୧ ପ୍ରତିଶତ ରହିଛି । କିନ୍ତୁ ଏସବୁ ଭିତରେ ନ୍ୟାୟିକ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି । ଲୋକଟେ ନ୍ୟାୟ ପାଇଁ କେମିତି ବର୍ଷ ବର୍ଷ ଧରି ଅପେକ୍ଷା କରିଚାଲିଛି, ତାହାର ପରଦା ହଟାଇଛି ଏ ରିପୋର୍ଟ । ରାଜ୍ୟରେ ୩୫ ପ୍ରତିଶତ କେସ୍‌ କ୍ଲିୟରାନ୍ସ ପାଇଁ ଲାଗିଛି ୫ ବର୍ଷର ଲମ୍ବା ସମୟ । ଏ ଭିତରେ ଅନେକ କେସ୍‌ରେ ଉଭୟ ପୀଡ଼ିତ ଓ ଅଭିଯୁକ୍ତଙ୍କୁ ନ୍ୟାୟ ପାଇଁ ଦଶ ବର୍ଷ ବି ଅପେକ୍ଷା କରିବାକୁ ପଡ଼ିଛି । ସବୁଠୁ ଚିନ୍ତାଜନକ ବିଷୟ ବିଚାରପତିଙ୍କ ଅଭାବ ଯୋଗୁଁ ଦେଶରେ ମାମଲା ସଂଖ୍ୟା ବଢ଼ିଚାଲିଛି । ତାହାରି ଭିତରେ ଓଡ଼ିଶା, ତାମିଲନାଡ଼ୁ ଓ ଗୁଜୁରାଟର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବରିଷ୍ଠ ଆଇନଜୀବୀଙ୍କ ମତରେ ଯଦି ପ୍ରତିବର୍ଷ କେସ୍‌ କ୍ଲିୟରାନ୍ସର ହାର ବଢ଼ିଚାଲିବ ବା ଅଧିକମାତ୍ରାରେ ମାମଲା ଖଲାସ ହେବ ତେବେ କୋର୍ଟ ମାନଙ୍କରୁ ଧୀରେ ଧୀରେ ଚାପ କମିବ । ')}

Leave a Reply