ସରିଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା

1 min read

କାଶ୍ମୀର: ସରିଲା ଭାରତ ଯୋଡୋ ଯାତ୍ରା । କନ୍ୟାକୁମାରୀରୁ କାଶ୍ମୀର ଲଙ୍ଗମାର୍ଚ୍ଚରେ ପୂର୍ଣ୍ଣଚ୍ଛେଦ । ୨୦୨୪ରେ ପ୍ରଗତିଶୀଳ ଶକ୍ତିଙ୍କ ମହାମେଣ୍ଟର ନାରାରେ ଐତିହାସିକ ରାଲି । ଦାରିଦ୍ର୍ୟ, ବେକାରୀ, ମୁଦ୍ରାସ୍ଫୀତି, ଦରବୃଦ୍ଧି, ଦ୍ବେଷ, ସାମ୍ପ୍ରଦାୟିକତାବାଦ ବିରୋଧରେ ମହାରାଲି । ଶ୍ରୀନଗରରେ ପ୍ରବଳ ତୁଷାରପାତ ସତ୍ତ୍ବେ ଜନସମୁଦ୍ର । ଶେର-ଇ-କାଶ୍ମୀର ଷ୍ଟାଡିଅମରେ ଅନୁଷ୍ଠିତ ଉଦଯାପନୀ ସଭାରେ ରାହୁଲ ଗାନ୍ଧିଙ୍କ ସ୍ପର୍ଶକାତର ଭାଷଣରେ ଅଭିଭୁତ ଜନତା । ରାହୁଲ କହିଥିଲେ- ଏକ ବାଳିକାର ଚିଠି ତାଙ୍କର ସମସ୍ତ କଷ୍ଟ ଲାଘବ କରିଛି । ମୋ ଲାଗି ଓ ମୋ ଭବିଷ୍ୟତ ଲାଗି ଏହି ଯାତ୍ରା ଉଦ୍ଦିଷ୍ଟ ଥିଲା ବୋଲି ଚିଠିରେ ଦର୍ଶାଇଥିଲା ବାଳିକା ।

ଉଦଯାପନୀ ସମାରୋହରେ ଯୋଗ ଦେଇଥିଲେ ଡିଏମକେ, ଏନସି, ପିଡିପି, ସିପିଆଇ, ଆରଏସପି, ଆଇୟୁଏମଏଲ, ବିଏସପି ଆଦି ଦଳର ପ୍ରତିନିଧି । ୧୩୫ ଦିନର ପଦଯାତ୍ରାରେ ସାମିଲ ହୋଇଥିଲେ ପଲିଟିସିଆନ, ଇକୋନୋମିଷ୍ଟ, କ୍ରୀଡାବିତ, ଅଭିନେତା, ଅଭିନେତ୍ରୀ । ରାହୁଲଙ୍କୁ ବି ସାଥ୍ ଦେଇଥିଲେ ସୋନିଆ, ପ୍ରିୟଙ୍କା, ରବର୍ଟ ଭଦ୍ରା ଓ କନ୍ୟା ମୀରାୟା । ଯାତ୍ରାରେ ମା’ ସୋନିଆଙ୍କ ଜୋତାର ଲେସ୍ ବାନ୍ଧି ଚର୍ଚ୍ଚିତ ହୋଇଥିଲେ ରାହୁଲ । ଯାତ୍ରାରେ ସାମିଲ ହୋଇଥିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ପୂଜା ଭଟ୍ଟ, ସ୍ବରା ଭାସ୍କର, ରଶ୍ମୀ ଦେଶାଇ, ରିୟା ସେନ, ଅମୋଲ ପାଲକେର, ନିର୍ଦ୍ଦେଶକ ସନ୍ଧ୍ୟା ଗୋଖଲେ, ସୁଶାନ୍ତ ସିଂ ।

କେତେବେଳେ ବର୍ଷାରେ ଭିଜି ଭିଜି ତ କେତେବେଳେ ପାଣି ଟାଙ୍କିରେ ଚଢି ଭାଷଣ ଦେଇଥିଲେ ରାହୁଲ । ସାଇକେଲ ଓ ବାଇକରେ ଷ୍ଟଣ୍ଟ ଦେବା ସହ ନୌଚାଳନା ଓ ଫୁଟବଲ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାହୁଲ । ଆଦିବାସୀଙ୍କ ଗହଣରେ ନାଚି ଯାତ୍ରାକୁ କରିଥିଲେ ରଙ୍ଗିନ । ଗତବର୍ଷ ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୩ ହଜାର ୯୭୦ କିଲୋମିଟର କରିଥିଲା ଅତିକ୍ରମ । ପ୍ରାୟ ୧୦୦ଟି ସଭା, ୧୩ଟି ସାମ୍ବାଦିକ ସମ୍ମିଳନୀ, ୨୭୫ଟି ଭାବ ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାହୁଲ ।