spot_img

Latest Posts

ସୋନିଆ, ରାହୁଲଙ୍କ ଚାର୍ଜସିଟର ପ୍ରତିବାଦ: ସାରା ଦେଶରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ମାମଲାରେ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟର ପ୍ରତିବାଦ । ଗତକାଲି ଇଡି ଚାର୍ଜସିଟ ଦାଖଲ କରିଛି। ଏହାର ପ୍ରତିବାଦରେ ଆଜି ସାରା ଦେଶରେ ବିକ୍ଷୋଭ। ସବୁ ରାଜ୍ୟରେ ଥିବା ଇଡିର ଅଫିସ ଆଗରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ। ଦିଲ୍ଲୀର ଇଡି ଅଫିସ ଆଗରେ ବି ଆନ୍ଦୋଳନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ଯ କାରଣରୁ ଗାନ୍ଧୀ ପରିବାରକୁ ବଦନାମ କରିବାକୁ ଏପରି କରାଯାଇଥିବାର ଅଭିଯୋଗ ହୋଇଛି।

ଗତକାଲି ସୋନିଆ, ରାହୁଲ, ସାମ ପିଟ୍ରୋଡା ଓ ସୁମନ ଦୁବେଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଦିଲ୍ଲୀ ନ୍ୟୁ ରାଉସ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ। ଆସନ୍ତା ଏପ୍ରିଲ ୨୫ରେ ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି। ସୋନିଆ ଓ ରାହୁଲଙ୍କ ମାଲିକାନାରେ ୟଙ୍ଗ ଇଣ୍ଡିଆନ ଲିମିଟେଡ ଦ୍ବାରା ଅଧିକୃତ ହୋଇଥିବା ଆସୋସିଏସେଟେଡ ଜର୍ଣ୍ଣାଲ୍ସ ଲିମିଟେଡ ବା ଏଜେଏଲର ସମ୍ପତ୍ତିକୁ ମୁମ୍ବାଇ ଓ ଲକ୍ଷ୍ମୌରେ ଠାବ କରିଥିଲା ଇଡି । ଅତୀତରେ ନ୍ୟାସନାଲ ହେରାଲଡକୁ ୟଙ୍ଗ ଇଣ୍ଡିଆନ ଜରିଆରେ ପ୍ରକାଶନ କରୁଥିବା ଏଜେଏଲର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଇଡି ଏହାର ତଦନ୍ତ କରୁଥିଲା । ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଏଜେଏଲର ପ୍ରାୟ ୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନ ବେଆଇନ ଭାବେ ଅକ୍ତିଆର କରିଥିବା ନେଇ ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ । ଇଡି ଦର୍ଶାଇଛି ଏଜେଏଲର ପ୍ରାୟ ୯୮୮ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି । ୨୦୨୩ ନଭେମ୍ବରରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ମୌରେ ଥିବା ୬୬୧ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲା ଇଡି । ଏଥିରେ ଥିଲା ଏଜେଏଲର ପ୍ରାୟ ୯୦ କୋଟି ଟଙ୍କାର ସେୟାର । ମୁମ୍ବାଇସ୍ଥିତ ହେରାଲ୍ଡ ହାଉସରେ ଚାଲିଥିବା ଜିନ୍ଦଲ ସାଉଥ ଓ୍ବେଷ୍ଟ ପ୍ରୋଜେକ୍ଟସକୁ ବି ଏକ ନୋଟିସ ପଠାଯାଇଛି । ଏହା ସହ ବିଲଡିଂରୁ ଆଦାୟ ହେବାକୁ ଥିବା ଭଡା ବର୍ତ୍ତମାନଠାରୁ ଇଡି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୪ରେ ସୁବ୍ରମଣ୍ୟମ ସ୍ବାମୀ ଏହି ଅଭିଯୋଗ ଆଣିବା ପରେ ୨୦୨୧ରେ ଏହାର ଇଡି ତଦନ୍ତ ଆରମ୍ଭ ହୋଇଥିଲା । ୨ହଜାର କୋଟି ଟଙ୍କାର ଏଜେଏଲର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାର ୟଙ୍ଗ ଇଣ୍ଡିଆନ ହାତେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଆଇନଗତ ବିବାଦ ମଧ୍ୟରେ ଏହାର ତଦନ୍ତ ଲାଗି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଇଡିର ଅଭିଯୋଗ ଅନୁସାରେ ଜାଲ ଡୋନେସନ ବାବଦରେ ୧୮ କୋଟି, ଅଗ୍ରୀମ ଭଡ଼ା ବାବଦରେ ୩୮ କୋଟି ଓ ବିଜ୍ଞାପନ ବାବଦରେ ୨୯ କୋଟି ଟଙ୍କା ଆଦାୟ କରାଯାଇଛି ।

Latest Posts

Don't Miss