କଟକ: କଟକ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି। ଗତ ଶନିବାର ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ, ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ଏପର୍ଯ୍ୟନ୍ତ କୌଣସି ପକ୍କା ତଥ୍ୟ ମିଳିପାରିନାହିଁ।
ଏହି ହାଇପ୍ରୋଫାଇଲ୍ ମାମଲାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ କଟକ ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଘଟଣାର ସବୁ ଦିଗକୁ ଅନୁଧ୍ୟାନ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟିମ୍ରେ ଅଛନ୍ତି, ଜଣେ ଏଡିସିପି, ଜଣେ ଏସିପି, ଦୁଇ ଜଣ ଇନ୍ସପେକ୍ଟର ।
ତେବେ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ମୃତ ଆଇଆଇସିଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ମୋବାଇଲ୍ରୁ କଲ୍ ରେକର୍ଡ, ମେସେଜ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାଟା ବାହାର କରିବା ପାଇଁ ଏହାକୁ ଫୋରେନସିକ୍ ଏବଂ ସାଇଣ୍ଟିଫିକ୍ କୁ ପଠାଯାଇଛି। ସେହିପରି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଯେପରି ଶୀଘ୍ର ହସ୍ତଗତ ହେବ, ସେଥିପାଇଁ ପୋଲିସ ବିଭାଗ ସମ୍ପୃକ୍ତ ଡାକ୍ତରୀ ଦଳ ସହ ନିୟମିତ ଯୋଗାଯୋଗରେ ରହିଛି।
ଅନ୍ୟପଟେ କଟକ ଡିସିପିଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିୟୁଟି ମହାନ୍ତିଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରାଯାଇନାହିଁ। ପରିବାର ଲୋକଙ୍କ ବୟାନ ଏବଂ ଫୋରେନସିକ୍ ରିପୋର୍ଟ ଆସିବା ପରେ ହିଁ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

