ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଏକାମ୍ର ପ୍ରକଳ୍ପ କାର୍ଯ୍ୟ କଲେ ଅନୁଧ୍ୟାନ

1 min read

ଭୁବନେଶ୍ୱର: ମହା ଶିବରାତ୍ରି ପୂର୍ବରୁ ଶନିବାର ସନ୍ଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସିଂହଦ୍ୱାରରୁ ନିଜ କାରରୁ ଓହ୍ଲାଇବା ପରେ ଚାଲିଚାଲି ପ୍ରଥମେ ବିଘ୍ନ ବିନାଶକ ବିନାୟକ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହାପରେ ବେଢା ବୁଲିବା ଆରମ୍ଭ କରିଥିଲେ । ସାଥୀରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭି.କେ ପାଣ୍ଡିଆନ୍ । ପରେ ମୁଖ୍ୟମନ୍ତ୍ରୀ ମାଆ ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ଦର୍ଶନ ସାରି ଶେଷରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଗମ୍ଭୀରା ଭିତରକୁ ପ୍ରବେଶ କରିଥିଲେ ।

କୋଭିଡ କଟକଣାକୁ ଅନୁପାଳନ କରି ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ୁ ନିଯୋଗ ସଭାପତି ପୂଜାର୍ଚ୍ଚନା କରିବା ସହିତ ନବୀନଙ୍କ ଦୀର୍ଘାୟୁ କାମନା କରି ଲିଙ୍ଗରାଜଙ୍କ ପାଖରେ ଜଳଲାଗି କରିଥିଲେ । ମୁଖ୍ୟମନ୍ତ୍ରୀ ନଡ଼ିଆ ଛୁଇଁ ତାଙ୍କୁ ପ୍ରଦାନ କରିଥିଲେ । ପୂଜା ସାରିବା ପରେ ଐତିହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହାପରେ ନବୀନ ମନ୍ଦିର ବାହାରକୁ ଆସି ଅପେକ୍ଷାରତ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।

ସମ୍ପ୍ରତି ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଜୋରସୋର ଚାଲିଛି । ଚମକୁଛି ଏକାମ୍ର କ୍ଷେତ୍ର । ମନ୍ଦିର ମାଳିନୀ ସହରରେ ଗଡ଼ୁଛି ବିକାଶର ନନ୍ଦିଘୋଷ । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ଏକର ଜମିରେ ଚାଲିଛି ଏକାମ୍ର ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯାଇ ସେଠାରେ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଠାରେ ଏକା ସାଙ୍ଗରେ ୨ଲକ୍ଷ ଲୋକ ସମବେତ ହୋଇପାରିବେ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଓରିଏଣ୍ଟସନ୍ କେନ୍ଦ୍ର, ଫୁଡ୍ ପ୍ଲାଜା, ପାର୍କିଂ ସୁବିଧା ରହିବ । ଏହା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକାରୀ ହେଉଛି ୯ଟି ପ୍ରକଳ୍ପ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ତାଳେଶ୍ୱରରୁ ବଢ଼େଇବାଙ୍କ ଛକ ଯାଏଁ ନୂଆ ରାସ୍ତା ନିର୍ମାଣ ହେବ ।

ମନ୍ଦିର ଚାରିପଟେ ନିର୍ମାଣ ହେବ ପରିକ୍ରମା ପଥ । ଐତିହ୍ୟ ପୁଷ୍କରିଣୀଗୁଡ଼ିକର ସଂରକ୍ଷଣ ହେବ । ପୂର୍ବରୁ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଥଇଥାନ କେନ୍ଦ୍ର, ଲିଙ୍ଗରାଜ ଥାନା, ମନ୍ଦିର ଟ୍ରଷ୍ଟ ବୋର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବ ।  ଏକାମ୍ର ପ୍ରକଳ୍ପର ସ୍ୱତନ୍ତ୍ର ଡିଜାଇନ୍ ତିଆରି କରିଛନ୍ତି ୧୦ଜଣିଆ ଟିମ୍ ।

Leave a Reply