ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ମୁକାବିଲା ଲାଗି ତତ୍ପର ରାଜ୍ୟ ସରକାର । ଆଜ ଦିନ ୧୧ଟାରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାର ସ୍ଥିତି, ପ୍ରଶାସନର ପଦକ୍ଷେପ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ମହାନଦୀ ଫୁଲୁଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବନ୍ୟା ଅବସ୍ଥା ସୃଷ୍ଟି ହେଲାଣି । ଏହାକୁ ନଜରରେ ରଖି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିଛି, ରିଲିଫ କାର୍ଯ୍ୟ ଆଦି ସମ୍ପର୍କରେ ବୈଠକରେ ସମୀକ୍ଷା ହେବ । ଏହି ବୈଠକରେ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେବେ । ବନ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପୁରୀ ଜିଲ୍ଲାର ଭାର୍ଗବୀ, ଲୁଣା, ଦୟା ଓ ଦେବୀ ନଦୀରେ ବନ୍ୟା ଆଶଙ୍କା ରହିଛି ।

ଅପରପକ୍ଷରେ ଆରଡ଼ି ଉପରମୁଣ୍ଡ ସମେତ ତଳମୁଣ୍ଡରେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ଯା ପରିସ୍ଥିତି ଗମ୍ଭୀର ରହିଛି। ଫଳରେ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ସହ ୪ଟି ପଞ୍ଚାୟତର ୨୨ଟି ଗାଁ ୩ଦିନ ହେଲା ବନ୍ଯା ଘେରରେ ରହିଛି । ବନ୍ଯାପାଣି ବଢ଼ୁଥିବାରୁ ବୋଡ଼କ ନିକଟରେ ଧୋଇଯାଇଛି ଆଖଣ୍ଡଳମଣି କୁଆଖିଆ ଏନ.ଏଚ ୨୦ର ୨ଶହ ମିଟର ରାସ୍ତା । ଯାତାୟତ ଠପ ହୋଇଥିବାରୁ ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ଆରଡି ଚାନ୍ଦବାଲି, ଆରଡି ମତୋ ରାସ୍ତାର ୩ରୁ ୪ଫୁଟ ବନ୍ଯାଜଳ ପ୍ରବାହିତ ହେଉଥିବାରୁ ଜଳବନ୍ଦୀ ୮ଟି ଗାଁ । ଦେଶି ଡଙ୍ଗା ସାହା ଭରଷା ପାଲଟିଛି । ଶହ ଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ପାଣି । ଧାମରା ନିକଟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ନିଷ୍କାସନ ହେଉନି ବନ୍ଯାଜଳ ।