ଲିଙ୍ଗରାଜ ମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ, ଏକାମ୍ର ପ୍ରକଳ୍ପର ହେବ ସମୀକ୍ଷା

ଭୁବନେଶ୍ୱର: ଚମକୁଛି ଏକାମ୍ର କ୍ଷେତ୍ର । ମନ୍ଦିର ମାଳିନୀ ସହରରେ ଗଡ଼ୁଛି ବିକାଶର ନନ୍ଦିଘୋଷ । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ଏକର ଜମିରେ ଚାଲିଛି ଏକାମ୍ର ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯାଇ ସେଠାରେ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଠାରେ ଏକା ସାଙ୍ଗରେ ୨ଲକ୍ଷ ଲୋକ ହୋଇପାରିବେ ସମବେତ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଓରିଏଣ୍ଟସନ୍ କେନ୍ଦ୍ର, ଫୁଡ୍ ପ୍ଲାଜା, ପାର୍କିଂ ସୁବିଧା ରହିବ । ଏହା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକାରୀ ହେଉଛି ୯ଟି ପ୍ରକଳ୍ପ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ତାଳେଶ୍ୱରରୁ ବଢ଼େଇବାଙ୍କ ଛକ ଯାଏଁ ନୂଆ ରାସ୍ତା ନିର୍ମାଣ ହେବ । ମନ୍ଦିର ଚାରିପଟେ ନିର୍ମାଣ ହେବ ପରିକ୍ରମା ପଥ । ଐତିହ୍ୟ ପୁଷ୍କରିଣୀଗୁଡ଼ିକର ସଂରକ୍ଷଣ ହେବ । ପୂର୍ବରୁ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଥଇଥାନ କେନ୍ଦ୍ର, ଲିଙ୍ଗରାଜ ଥାନା, ମନ୍ଦିର ଟ୍ରଷ୍ଟ ବୋର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବ ।  ଏକାମ୍ର ପ୍ରକଳ୍ପର ସ୍ୱତନ୍ତ୍ର ଡିଜାଇନ୍ ତିଆରି କରିଛନ୍ତି ୧୦ଜଣିଆ ଟିମ୍ ।

Leave a Reply