ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: 4-G ମୋବାଇଲ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

1 min read

ଭୁବନେଶ୍ୱର: ମଙ୍ଗଳବାର ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନାରେ ସମ୍ପୃକ୍ତ ଅଞ୍ଚଳ ନିମନ୍ତେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ  ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ସ୍ୱଭିମାନ ଅଞ୍ଚଳ ଯାଇ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିଥିବା କଥା ମନେପକାଇଛନ୍ତି । ମୁଖ୍ୟମନ୍ତ୍ରୀ ସେତେବେଳେ ‘ସେତୁ’  ଯୋଜନାରେ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ  ମିଶନ ଶକ୍ତିର ମା’ମାନଙ୍କ ପାଇଁ ଏକ୍ସପୋଜର ଭିଜିଟର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ବହୁଳ ଭାବେ ଚାଷ ହେଉଥିବା ହଳଦୀର ପ୍ରୋସେସିଂ ଏବଂ ବ୍ରାଣ୍ଡିଂ ପାଇଁ ପଦକ୍ଷେପ ନିଆଯାଇଛି । ଏଥିସହିତ ବିଜୁଳି ସେବା ପାଇଁ ୩୩ x୧୧ କେ.ଭି ସବ୍‌ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ  ୧୧ କେ.ଭି ୩ ଫେଜ୍ ଲାଇନ୍ କନେକସନ୍, ଦିଆଯିବ। ଗାଁ ଗାଁ ରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୮ କି.ମି ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ମେଘା ପାଇପ ପାଣି ସପ୍ଳାଏ ପ୍ରକଳ୍ପ  ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି । ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ ୪୧୯ଟି କ୍ଳଷ୍ଟର ଗଭୀର ନଳକୂପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତ ।  ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ୱାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପ କେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ।

ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାଓ୍ୱାର ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି ଟାଓ୍ୱାର ସ୍ଥାପନ କରାଯିବ । ଏହି କାର୍ଯ୍ୟରେ ନିୟୋଜିତ ଭାରତ ଇନ୍‌ଫ୍ରାଟେଡ୍ ପ୍ରାଇଭେଟ୍ ଲିମିଟେଡ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ମୋବାଇଲ ଫୋନ୍ ଆରମ୍ଭ କରିବା ସହ ଏ ନେଇ ଖୁସି ବ୍ୟକ୍ତି କରିଛନ୍ତି । ଏହାଦ୍ୱାରା ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଆହୁରି ଭଲ ଭାବରେ ଅନ୍ୟ ଅଞ୍ଚଳ ସହ ଯୋଡିପାରିବ ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ପିଲାମାନଙ୍କ  ପାଠ ପଢାରେ ମଧ୍ୟ ଏହା ସହାୟକ ହୋଇପାରିବ । ଏହି ଅବସରରେ LWE କ୍ୟାଡେର ମାନଙ୍କୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କାମନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି । ଏ ଅଞ୍ଚଳକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ମୋ ଉଦ୍ୟମ ଜାରି ରହିବ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply