ମାଲକାନଗିରି ଜିଲ୍ଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ପ୍ରତି ଗାଁକୁ ହେବ ରାସ୍ତା । ସହର ସହିତ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ । ଜିଲ୍ଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଫାଇଭ-ଟି ସଚିବଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିଲେ ଜନସାଧାରଣ । ସମସ୍ୟାର ସମାଧାନ ସହିତ ଖୁବଶୀଘ୍ର ଅର୍ଥ ମଞ୍ଜୁର ହେବ ବୋଲି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୫୮ କୋଟି ଟଙ୍କାରେ ୧୭୨ରୁ ଅଧିକ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏହାଦ୍ବାରା ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆ ବ୍ଲକବାସୀ ବିଶେଷଭାବେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମ ଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ । ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଯୋଗାଇଦେବେ ।