ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚରୁ ଆରମ୍ଭ ହେବ SCB ଦ୍ୱିତୀୟ କ୍ୟାମ୍ପସ୍ କାମ

କଟକ: ମହାନଦୀ ପଠାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କଟକ ଗସ୍ତରେ ଆସି ହାଡ଼ିଆ ପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ଏସସିବି ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରିଛନ୍ତି । ଅନୁଧ୍ୟାନ ପରେ ମାର୍ଚ୍ଚ ମାସରୁ ଏସସିବି ଦ୍ୱିତୀୟ କ୍ୟାମ୍ପସ କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିସହ ଟ୍ରାଫିକ୍ ସମସ୍ୟା ସହ ଜୁଝିଥିବା କଟକର ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ରିଂ ରୋଡକୁ ୬ ଲେନ୍ ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ହାଡ଼ିଆ ପଠାରେ ବୁଲିବା ସହ ମ୍ୟାପ୍ ଅନୁଧ୍ୟାନ କରିଥିଲେ । ପରେ ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ମେଡିକାଲ କଲେଜ ସମ୍ପ୍ରସାରଣ ପାଇଁ ୨୫ ଏକର ଜମି ଅଧିଗ୍ରହଣ କରାଯିବ । ଫେବ୍ରୁଆରୀ ୨୮ ସୁଦ୍ଧା ଜମି ଅଧିଗ୍ରହଣ ସରିବ । ମାର୍ଚ୍ଚରୁ ଆରମ୍ଭ ହେବ ନିର୍ମାଣ । ନିର୍ମାଣରେ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

କଟକ ସହରର ବିକାଶ ପାଇଁ ବିଧିବଦ୍ଧ ଯୋଜନା କରାଯିବ । ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ କଟକ ସହରକୁ ନୂଆ ରୂପ ଦିଆଯିବ । ମହାନଦୀ ପଠାର ୪୨୪ ଏକର ଜମିର ପ୍ରତି ଇଞ୍ଚକୁ ସହରବାସୀଙ୍କ ସୁଖ ସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply