ଚୀନ୍ ଅଲ୍ଟ୍ରା ମାରାଥନରେ ତାଣ୍ଡବ ରଚିଲା ପାଗ, ଜଣାଶୁଣା ଧାବକ ଲିୟାଙ୍ଗ ଜିଙ୍ଗ ସମେତ ୨୧ ମୃତ

1 min read

ବେଜିଂ: ଉତ୍ତର-ପଶ୍ଚିମ ଚୀନ ପାର୍ବତ୍ୟାଞ୍ଚଳରେ ଅନୁଷ୍ଠିତ ୧୦୦ କିଲୋମିଟର ଅଲ୍ଟ୍ରା ମାରାଥନରେ ବିତ୍ପାତ ରଚିଛି  ଝଡତୋଫାନ ସହ କୁଆ ପଥର ବର୍ଷା। ଫଲରେ  ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣାଶୁଣା ଧାବକ ଲିୟାଙ୍ଗ ଜିଙ୍ଗ ମଧ୍ୟ ପ୍ରାଣ ହରାଇଥିବା ଚୀନ୍‌ ସରକାରୀ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ଏହି ପ୍ରତିଯୋଗୀତାରେ ୧୭୨ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୧ ଜଣ ସୁରକ୍ଷିତ ଫେରିଛନ୍ତି।

ଏହି ପ୍ରତିଯୋଗୀତାରେ ପ୍ରତିଭାଗୀମାନଙ୍କୁ ଏକ ବହୁତ ସଂକିର୍ଣ୍ଣ ପାହାଡିଆ ରାସ୍ତା ଅତିକ୍ରମ କରିବାର ଥିଲା। ଏହି ରାସ୍ତା ପାହଡର ପ୍ରାୟ ୨ରୁ ୩ ହଜାର ମିଟର ଉପରେ। ଧାବକମାନେ ରାସ୍ତା ପାର କରୁଥିବା ବେଳେ କୁଆପଥର ଝଡର ସମ୍ମୁଖୀନ ହୋଇଥିଲେ। ପ୍ରତିଯୋଗୀତା ଗାଂସୁ ପ୍ରୋଭିନ୍ସ ବୈଇନ୍‌ ସହରର ୟେଲୋ ରିଭରଷ୍ଟୋନ ଫରେଷ୍ଟ ଟୁରିଷ୍ଟ ସାଇଟରେ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ଅନେକ ଅନୁଭବି ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ନିଙ୍ଗବୋ ୧୦୦ କିଲୋମିଟର ଦୌଡର ବିଜେତା ଲିୟାଙ୍ଗ ଜିଙ୍ଗ ମଧ୍ୟ ଥିଲେ। ତେବେ ପ୍ରାକୃତିକ ବିତ୍ପାତରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଘଟଣା ସମ୍ପର୍କରେ ହଙ୍ଗକଙ୍ଗ ମାରାଥନ ଗ୍ରୁପ ରବିବାର ବିଜ୍ଞପ୍ତି ଜାରି କରି  ସୂଚନା ଦେଇଛନ୍ତି। ଆୟୋଜକ ଗାଂସୁ ସେଙ୍ଗଜିଙ୍ଗ ସ୍ପୋର୍ଟସ୍‌ କଲଚର ଡେଭଲପମେଣ୍ଟ କମ୍ପାନୀଙ୍କ  ଜନୈକା କାର୍ଯ୍ୟକର୍ତ୍ତା ପ୍ରତିଯୋଗୀତା ଦିନ ପାଗ ପ୍ରତିକୂଳ ହେବା ନେଇ କୌଣସି ପୂର୍ବ ସୂଚନା ନଥିଲା ବୋଲି କହିଛନ୍ତି। ଶନିବାର ପ୍ରତିଯୋଗୀତା ଆରମ୍ଭ ହୋଇ ସାରିଥିବା ବେଳେ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଅଚାନକ କୁଆପଥର ବର୍ଷା ସହ ଝଡ଼ ଆରମ୍ଭ ହୋଇଯାଇଥିଲା। ଦୌଡର ୨୦ ଓ ୩୦ କିଲୋମିଟରରେ ଧାବକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏଣୁ ପ୍ରତିଯେଗୀମାନେ ୱିଚେଟ୍ ଆପ୍‌ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିବାରୁ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ସେମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ୨୧ ଜଣଙ୍କ ମୃତ୍ୟୁ ହୋଇସାରିଥିଲା।

Leave a Reply