ସୀମାରେ ୬୦ ହଜାର ସୈନ୍ୟ ମୁତୟନ କଲା ଚୀନ୍‌, ପୋମ୍ପିଓ କହିଲେ ଭାରତ ସହ ଆମେରିକା

1 min read

ୱାଶିଂଟନ୍: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ୬ ମାସ ଧରି ଲାଗି ରହିଥିବା ବିବାଦ ସମାଧାନର ନାଁ ଧରୁନି । ଏହାରି ମଧ୍ୟରେ ଆମେରିକା, ଭାରତ ସହ ସମ୍ପର୍କକୁ ମଜବୁତ୍‌ କରିବା ଦିଗରେ ଗୁରୁତ୍ୱ ଦେଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଶୁକ୍ରବାର ଚୀନ୍‌କୁ ଚେତାବନୀ ଦେବାକୁ ଯାଇ ଭାରତ ସହ ନିବିଡ଼ ସମ୍ପର୍କ ସ୍ଥାପନ କଥା କହିଛନ୍ତି । ସେ କହିଛନନ୍ତି ଯେ, ଭାରତ ଆମକୁ ଆବଶ୍ୟକ କରେ ।

ପୋମ୍ପିଓ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ହୋଇଥିବା ବୈଠକ ବିଷୟରେ କହିଛନ୍ତି ଯେ, ଏହି ଯୁଦ୍ଧରେ ଆମେରିକାକୁ ସହଯୋଗୀ ତଥା ଅଂଶୀଦାର କରିବା ଆବଶ୍ୟକ । ପୋମ୍ପିଓ ରେଡିଓ ଜକି ଲୈରି ଓ’କାନରକୁ ବୟାନ ଦେଇଛନ୍ତି ଯେ, ଚୀନ୍ ବର୍ତ୍ତମାନ ଉତ୍ତରରେ ଭାରତ ବିରୁଦ୍ଧରେ ବଡ଼ ବଳ ସଂଗ୍ରହ କରିବା ଆରମ୍ଭ କରିଛି । ଏହା ସହ ସେ ଆହୁରି କହିଛନ୍ତି ଯେ, ଦୁନିଆ ବଦଳି ଗଲାଣି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଏକ ମେଣ୍ଟ କରାଯାଇଛି । ଯାହା ଏହି ବିପଦକୁ ଏଡ଼ାଇଦେବ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଲଏସିରେ ଚୀନ୍‌ ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି । ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚୀନ୍‌ । ତେବେ ଆମେରିକା ଭାରତ ସହ ରହିଛି ବୋଲି ପରୋକ୍ଷ ସୂଚନା ଦେବା ସହ ଚୀନକୁ କଡା ଚେତାବନୀ ଦେଇଛନ୍ତି ପୋମ୍ପିଓ । ପୂର୍ବରୁ କରୋନା ନେଇ ଆମେରିକା ଚୀନକୁ ସିଧାସଳଖ ଦାୟୀ କରି ଆସୁଛି । କରୋନା ଯୋଗୁଁ ବିଶ୍ୱର ବଡ ବଡ ଲୋକତନ୍ତ୍ର ଦେଶରେ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହା ସତ୍ତ୍ୱେ ବି ଚୀନ୍‌ ନିଜ ଆଚରଣରେ ପରିବର୍ତ୍ତନ କରିନାହିଁ । କରୋନା କଟକଣା ଭିତରେ ନିକଟରେ ଟୋକିଓରେ ଏକାଠି ହୋଇଥିଲେ କ୍ୱାଡ୍‌ ରାଷ୍ଟ୍ର ସମୁହ ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ।

ବୈଠକରେ ହିନ୍ଦ-ପ୍ରଶାନ୍ତ, ଦକ୍ଷିଣ ଚିନ ସାଗର ଓ ପୂର୍ବ ଲଦ୍ଦାଖର ଏଲଏସିରେ ଚୀନର ଆକ୍ରମଣାତ୍ମକ ଆଚରଣ ନେଇ ଆଲୋଚନା ହୋଇଥିଲା । ବିଶ୍ୱର ଏହି ସଂକଟ ଭିତରେ ଚୀନର ଏପରି ଆଚରଣ ବରଦାସ୍ତ କରିବା ସମ୍ଭବ ନୁହେଁ ବୋଲି ରାଷ୍ଟ୍ର ସମୁହ ମତ ଦେଇଥିଲେ । ଶୁକ୍ରବାର ଏନେଇ ସ୍ପଷ୍ଟ କରିବା ସହ ଚୀନକୁ ଚେତାବନୀ ଦେଇଥିଲା ଆମେରିକା । ସୂନଚାଯୋଗ୍ୟ ଯେ, ଜୁନ୍‌ ମାସରେ ଲଦାଖରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହି ହିଂସ୍ରକ ଘଟଣାରେ ଭାରତର ୨୦ ଜବାନ ସହିଦ ହୋଇଥିଲେ ।

Leave a Reply