ବଢୁଛି ଉତ୍କଣ୍ଠା, କାଲି ଇତିହାସ ରଚିପାରେ ଇସ୍ରୋ

1 min read

ବେଙ୍ଗାଲୁରୁ : ବଢୁଛି ଉତ୍କଣ୍ଠା,ପାଖଉଛି ସମୟ ବଢୁଛି ହାର୍ଟବିଟ୍ । ଆସନ୍ତାକାଲି ଇତିହାସ ରଚିପାରେ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିପାରେ ଚନ୍ଦ୍ରଯାନ-୩ । ସନ୍ଧ୍ୟା ୬ଟା ୪ ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

 

ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡ଼ିବ । ତେବେ କୌଣସି ଅସୁବିଧା ହେଲେ ପ୍ଲାନ ବି ତୟାର ରଖିଛି ଇସ୍ରୋ । କକ୍ଷପଥରେ ବୁଲୁଥିବା ସମୟରେ ଚନ୍ଦ୍ରଯାନର ସବୁ ଯନ୍ତ୍ରପାତିକୁ ପରୀକ୍ଷଣ କରାଯିବ । ଲ୍ୟାଣ୍ଡିଂର ୨ ଘଣ୍ଟା ପୂର୍ବରୁ ଚନ୍ଦ୍ର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ଯଦି ସବୁକିଛି ଠିକ ନଥାଏ ତେବେ ବିକଳ୍ପ ବ୍ୟବସ୍ଥା ଆପଣାଇବ ଇସ୍ରୋ । କିଛି ଅସୁବିଧା ହେଲେ କାଲି ପରିବର୍ତ୍ତେ ୨୭ ତାରିଖରେ ଲ୍ୟାଣ୍ଡିଂ କରାଇବାକୁ ଯୋଜନା ରଖାଯାଇଛି । ଏନେଇ ଅହମ୍ମଦାବାଦ ସ୍ପେଶ୍ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ହିଁ ସଫ୍ଟ ଲ୍ୟାଣ୍ଡିଂ ନେଇ ପ୍ରସ୍ତୁତି କରାଯାଇଛି । ଏବେ ସବୁକିଛି ଠିକଠାକ ରହିଛି । ଯଦି କିଛି ଅସୁବିଧା ହୁଏ ତେବେ ୨୭ ତାରିଖରେ ଲ୍ୟାଣ୍ଡିଂ ପାଇଁ ବି ପ୍ରସ୍ତୁତି ହୋଇଛି ।