ଚନ୍ଦ୍ରଯାନ-୩ ପଠାଇଲା ପୃଥିବୀ ଫଟୋ, ପଚାରିଲା ଆଉ ଫଟୋ ପଠାଇବି କି?

1 min read

ବେଙ୍ଗାଲୁରୁ: ନୀଳ ପୃଥିବୀ ପୃଷ୍ଠ ଉପରେ ଶୁଭ୍ର ଭସା ବାଦଲର ଚାଦର । ଖୁବ ଆକର୍ଷଣୀୟ ଦିଶୁଛି ଧରିତ୍ରୀ  । ୧୪ ଜୁଲାଇରୁ ଜହ୍ନ ରାଇଜକୁ ଯାତ୍ରା କରିଥିବା ଚନ୍ଦ୍ରଯାନ-୩ ଏବେ ଲଗାତର ଫଟୋ ପଠାଇବାରେ ଲାଗିଛି  । ଏହା ମଧ୍ୟରେ ଆଉ କିଛି ଫଟୋ ମଧ୍ୟ ଚନ୍ଦ୍ରଯାନ-୩ ଇସ୍ରୋକୁ ପ୍ରେରଣ କରିଛି  । ଆଉ ପଚାରିଛି ଆଉ ଫଟୋ ପଠାଇବି କି ? ମହାକାଶରେ ପହଞ୍ଚିବା ପରେ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର ଇମେଜର ବା କ୍ୟାମେରା ଏହି ସବୁ ଫଟୋ ପଠାଇବାରେ ଲାଗିଛି  । ଚନ୍ଦ୍ରପୃଷ୍ଠରେ ଥିବା କିଛି ଗର୍ତ୍ତର ଫଟୋ ବି ପଠାଇଛି ଚନ୍ଦ୍ରଯାନ ।  ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି  । ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା  । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରୁଛି ଏବଂ ଫଟୋ ପଠାଉଛି  । ୧୪ ଅଗଷ୍ଟରେ ଚନ୍ଦ୍ରଯାନ ଚତୁର୍ଥ କକ୍ଷକୁ ଲମ୍ଫ ଦେବ  । ସେହିପରି ୧୬ ଅଗଷ୍ଟରେ ୫ମ କକ୍ଷକୁ ଯିବ  । ୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ  । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ  । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ  । ସେପଟେ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ  ।

ଅନ୍ୟ ମହାକାଶ ଯାନ ସହ ଧକ୍କା ଏଡାଇବା ଲାଗି ୨୦୧୯ରେ ପ୍ରେରିତ ଚନ୍ଦ୍ରଯାନ-୨ରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସଫଳତା ମିଳି ନଥିବାବେଳେ ବର୍ତ୍ତମାନ ଚନ୍ଦ୍ରଯାନ-୩ରେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି ।