ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ

ରାଞ୍ଚି: ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ। ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ। ରାଞ୍ଚି ସ୍ଥିତ ରାଜଭବନରେ ରାଜ୍ୟପାଳ ସି.ପି ରାଧାକୃଷ୍ଣନ ଚମ୍ପଇ ସୋରନଙ୍କୁ ଶପଥ ପଠ କରାଇଥିଲେ। ଶପଥ ନେବାର ୧୦ ଦିନ ଭିତରେ ସେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ।

ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଥିଲା। ଜେଏମଏମ ପକ୍ଷରୁ ଚମ୍ପଇଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ। ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଚମ୍ପଇ ଝାରଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ। ସେ ମାତ୍ର ଦଶମ ଶ୍ରେଣୀ ଯାଏ ପାଠ ପଢିଛନ୍ତି । ଝାରଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ ଚମ୍ପଇ । ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ । ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ । ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି । ୨୦୧୯ରୁ ଝାରଖଣ୍ଡ ସରକାରରେ ମନ୍ତ୍ରୀ ଥିଲେ ଚମ୍ପଇ ସୋରନ।