ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ଖୋଳତାଡ଼ କରିବ ସିବିଆଇ

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ପରୀକ୍ଷା ବିଭ୍ରାନ୍ତ ମାମଲାରେ ତଦନ୍ତ କରିବ ସିବିଆଇ। ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏପଟେ ଏନଟିଏ ଡିଜି ପଦରୁ ହଟିଛନ୍ତି ସୁବୋଧ କୁମାର ସିଂ। ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲା।

ନିଟ ଓ ୟୁଜିସି ନେଟରେ ଅନିୟମିତତାକୁ ନେଇ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଦୀପ ସିଂ ହେଉଛନ୍ତି ଇଣ୍ଡିଆନ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନର ଅଧ୍ଯକ୍ଷ ତଥା ମ୍ଯାନେଜିଂ ଏଡିଟର। ତାଙ୍କୁ ଏନଟିଏର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ଆଜି ହେବାକୁ ଥିବା ନିଟ ପିଜି ପରୀକ୍ଷାକୁ ବାତିଲ କରାଯାଇଛି। ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି। ନିଟ ପିଜି ପରୀକ୍ଷାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛି ସ୍ବାସ୍ଥ୍ଯ ମନ୍ତ୍ରାଳୟ।

ଦେଶର ୩୦୦ ସହରର ୧ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯିବା ଲାଗି ଧାର୍ଯ୍ୟ ହୋଇଥିଲା। ଗତ କିଛି ଦିନ ଧରି ନିଟ ଓ ୟୁଜିସି ନେଟକୁ ନେଇ ସାରା ଦେଶରେ ପ୍ରତିବାଦ ଆନ୍ଦୋଳନ ହୋଇଥିଲା। ପ୍ରଶ୍ନପତ୍ର ଲିକଠାରୁ ଆରମ୍ଭ କରି ଲଜିଷ୍ଟିକ ଆଦି ସମସ୍ଯା ପ୍ରସଙ୍ଗରେ ବ୍ଯାପକ ଅସନ୍ତୋଷ ପ୍ରକାଶ ପାଇଥିଲା। ନିଟରେ ଅନିୟମିତତା ସହ ମାର୍କିଂରେ ତ୍ରୁଟି ଆଦି କାରଣରୁ ଏନଟିଏର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା।